ଗୁପ୍ଚୁପ୍ ବେପାରୀଙ୍କୁ ଗୁଳିମାଡ, ଦୁର୍ବୃତ୍ତ ଫେରାର
14/12/2018 at 10:57 AM

ଭୁବନେଶ୍ବର ୧୪|୧୨: ତମାଣ୍ଡୋ ଥାନା ସାହାଣୀ କାଶିପୁର ଗାଁ ରାସ୍ତାରେ ଗୁଳିକାଣ୍ଡ ହୋଇଛି। ଗତକାଲି ରାତିରେ ଜଣେ ଗୁପଚୁପ ବେପାରୀଙ୍କୁ ଲୁଟିବା ଉଦ୍ଦେଶ୍ୟରେ ଗୁଳି ଚଳାଇଥିଲେ ଦୁର୍ବୃତ୍ତ । ଗୁଳିଟି ଅନ୍ୟସ୍ଥାନରେ ବାଜିବାରୁ ବେପାରୀ ଜଣଙ୍କ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଛି।
ସୂଚନା ଅନୁଯାୟୀ ବୋଲଗଡ଼ ଅଞ୍ଚଳର ରବୀନ୍ଦ୍ର ସ୍ବାଇଁ କାଶୀପୁର ଗାଁରେ ଭଡ଼ାରେ ରହୁଥିଲେ । ସେ ତମାଣ୍ଡୋ ବଜାରରେ ଗୁପଚୁପ ବେପାର କରନ୍ତି। ଗତକାଲି ରାତିରେ ବେପାର ସାରି ସେ ଘରକୁ ଫେରୁଥିବାବେଳେ ଦୁଇଟି ବାଇକ୍ରେ ୩ ଜଣ ତାଙ୍କୁ ଅଟକାଇଥିଲେ । ତାଙ୍କୁ ଧମକାଇ ଟଙ୍କା ମାଗିଥିଲେ। ସେ ପାଟି କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିଟି ତାଙ୍କ ଦେହରେନ ବାଜି ଅନ୍ୟ ସ୍ଥାନରେ ବାଜିଥିଲା । ଗୁଳି ଫୁଟାଇବା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।