ଅଜଣା ଆତତାୟୀର ଆଖିବୁଜା ଗୁଳିମାଡ, ୨୭ ମୃତ
6/03/2020 at 5:58 PM

କାବୁଲ ୦୬|୦୩: ଆଫଗାନିସ୍ତାନର ରାଜଧାନୀ କାବୁଲର ପଶ୍ଚିମ ପ୍ରାନ୍ତରେ ଶୁକ୍ରବାର ଏକ ସଂଖ୍ୟାଲଘୁ ସିୟା ନେତାଙ୍କ ରାଲିରେ ଗୁଳିମାଡ କରାଯଇଛି। ଏହି ଗୁଳିକାଣ୍ଡରେ ଅତି କମରେ ୨୭ଜଣ ପ୍ରାଣ ହରାଇଛନ୍ତି। ଏହାସହ ୨୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମୁଖପାତ୍ର ସୂଚନା ଦେଇଛନ୍ତି।

ଗୁଳିମାଡ ହେବା ପରେ ଅନେକ ରାଜନେତା ରାଲି ଛାଡି ପଳାୟନ କରିଥିଲେ। ଏହି ରାଲିରେ ଦେଶର ମୁଖ୍ୟ କାର୍ଯ୍ୟନିର୍ବାହକ ଅବ୍ଦୁଲା ଅବ୍ଦୁଲା ଓ ଗତବର୍ଷ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇଥିବା କିଛି ନେତା ସାମିଲ ଥିଲେ। ଆଫଗାନ ସୁରକ୍ଷାକର୍ମୀ ଗୁଳିକାଣ୍ଡ କରିଥିବା ବ୍ୟକ୍ତିଙ୍କୁ ଏକ ନିର୍ମାଣାଧିନ ଘର ମଧ୍ୟରୁ ବାହାର କରି ଧରିବା ପାଇଁ ପ୍ରୟାସ ଚଳାଇଛନ୍ତି। ଆଫଗାନ ସ୍ୱତନ୍ତ୍ର ଫୋର୍ସ ଓ ପୋଲିସ ବଳ ଘଟଣାସ୍ଥଳରେ ପହଁଚିଛନ୍ତି।

ଆମେରିକା ଦ୍ୱାରା ନିଜ ସୈନିକ ପେରସ୍ତ ନେଇ ତାଲିବାନ ସହ ହୋଇତିବା ଚୁକ୍ତିକୁ ପ୍ରଭାବିତ କରିବା ପାଇଁ ଏହି ଗୁଳିକାଣ୍ଡ କରାଯାଇଥିବା କୁହାଯାଉଛି। କୌଣସି ସଙ୍ଗଠନ ଏନେଇ ନିଜକୁ ଦାୟୀ କରିନାହାଁନ୍ତି।