ଭୋଟ ପୂର୍ବରୁ ଦିଲ୍ଲୀରେ ଫୁଟିଲା ଗୁଳି, ସୁରକ୍ଷା ଉପରେ ଲାଗିଲା ପ୍ରଶ୍ନବାଚୀ
7/02/2020 at 5:01 PM

ନୂଆଦିଲ୍ଲୀ ୭।୨: ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ହେବ। ତେବେ ତା ପୂର୍ବରୁ ଜାଫରାବାଦ ଅଞ୍ଚଳରେ ଶୁକ୍ରବାର ଗୁଳିକାଣ୍ଡ ହୋଇଥିବାର ଜଣାପଡିଛି। ଏଥିରେ କେହି ମୃତାହତ ହେବାର ସୂଚନା ନାହିଁ । ତେବେ ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳି ଚଳାଇଥିବା ଜନୈକ ଦୋକାନୀଙ୍କ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି।

ଦିଲ୍ଲୀରେ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ୨ଟି ଗୁଳିକାଣ୍ଡ ହୋଇଥିଲା। ଏଥିରୁ ଗୋଟିଏ ସିଏଏ ବିରୋଧସ୍ଥଳ ଶାହିନବାଗ ନିକଟରେ ହୋଇଥିବା ବେଳେ ଆଉ ଗୋଟିଏ ରାଜଘାଟ ମାର୍ଚ୍ଚ ବେଳେ ହୋଇଥିଲା। ତେବେ ଉଭୟ ଘଟଣା କେନ୍ଦ୍ର ସରକାରଙ୍କ ନାଗରିକ ସଂଶୋଧିତ ଆଇନର ବିରୋଧ କରୁଥିବା ଲୋକଙ୍କୁ ବିରୋଧ କରିହୋଇଥିବା ବେଳେ ଶୁକ୍ରବାର ହୋଇଥିବା ଗୁଳିକାଣ୍ଡର କାରଣ ଜଣାପଡିନାହିଁ। ତେବେ ଗୁଳିକାଣ୍ଡ ସୂଚନା ମିଳିବା ମାତ୍ରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଯୋଗ୍ୟଯେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ରାଜଧାନୀର ସୁରକ୍ଷା କଡାକଡି କରାଯାଇଛି। ସହରରେ ଶାନ୍ତିପୂର୍ଣ୍ଣ ଭୋଟଗ୍ରହଣ ଲାଗି ୪୦ ହଜାର ଫୋର୍ସ ମୁତୟନ ହୋଇଛନ୍ତି। ଏହା ବାଦେ ପୋଲିଂ ବୁଥ ଓ ଇଭିଏମ ସୁରକ୍ଷା ଲାଗି ପୃଥକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏତେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶୁକ୍ରବାର ଗୁଳି ଚାଲିବା ଏବେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।