ବ୍ରଜରାଜନଗର ଗୁଳିକାଣ୍ଡ ଘଟଣା : ସିସିଟିଭିରେ କଏଦ ହେଲା ହତ୍ୟାର ଲାଇଭ୍ ଭିଜୁଆଲ୍
6/11/2019 at 8:31 AM

ଝାରସୁଗୁଡା ୬।୧୧: ମଙ୍ଗଳବାର ରାତିରେ ବ୍ରଜରାଜନଗରରେ ପୁଣି ଫୁଟିଥିଲା ଗୁଳି । ସହର ଭିତରେ ଥିବା ଲକ୍ଷ୍ମୀ କାଫେ ହୋଟେଲରେ ବସିଥିବା ବେଳେ ସୁମିତ (ମଣ୍ଟୁ) ଘୋଷ ଉପରକୁ ଗୁଳିମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ।
ଅତି ନିକଟରୁ ମଣ୍ଟୁର ମୁଣ୍ଡକୁ ତିନି ରାଉଣ୍ଡ ଗୁଳି ମାଡ଼ କରାଯାଇଛି । ମଣ୍ଟୁର ମୁଣ୍ଡରେ ଅତି ନିକଟରୁ ଗୁଳି କରି ଦୁର୍ବୃତ୍ତ ଫେରାର୍ ହୋଇଯାଇଥିବା ବେଳେ ଏହାର ଲାଇଭ୍ ଭିଜୁଅଲ ସିସିଟିଭିରେ କଏଦ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ମଣ୍ଟୁକୁ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ୪ରାଉଣ୍ଡ ଗୁଳି ଫୁଟିଥିବା ଜଣା ପଡ଼ିଛି।
ମଣ୍ଟୁ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ଭାଇ। ଚାରିମାସ ତଳେ ବ୍ରଜରାଜନଗରରେ ହୋଇଥିବା ଅମିତ ଧଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ସୋନୁ ଅଛି ଜେଲରେ। ବ୍ରଜରାଜନଗରରେ ଗୁଳି ଚାଳନା ପରେ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ କୋଇଲା ଖଣି ଅଞ୍ଚଳରେ ପତିଆରା ଜାହିର କରିବାକୁ ଲାଗି ରହିଛି ଶତ୍ରୁତା ।