ବ୍ରଜରାଜନଗର ବସଷ୍ଟାଣ୍ଡରେ ଗୁଳିକାଣ୍ଡ,ଯୁବକ ଗୁରୁତର, ଗୋଟିଏ ମାସରେ ଦ୍ୱିତୀୟ ଘଟଣା
24/06/2019 at 9:47 PM

ବ୍ରଜରାଜନଗର ୨୪।୬: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବସଷ୍ଟାଣ୍ଡରେ ଘଟିଛି ଗୁଳିକାଣ୍ଡ। ବାଇକରେ ଆସିଥିବା ୨ ଜଣ ଦୁର୍ବୃତ୍ତ ଜନୈକ ଯୁବକଙ୍କ ଉପରକୁ ଆତର୍କିତ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି। ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଙ୍କ ଚିହ୍ନଟ ହୋଇଛି। ତାଙ୍କ ନାମ ଅମିତ ଧଳ ଓ ସେ ବ୍ରଜରାଜନଗର ସହରର ବାସିନ୍ଦା ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ଅମିତ ସନ୍ଧ୍ୟାବେଳେ ସାଙ୍ଗମାନଙ୍କ ସହ ବସଷ୍ଟାଣ୍ଡ ନିକଟରେ ବସି ତାସ୍ ଖେଳୁଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା। ୨ ଜଣ ଯୁବକ ବାଇକ ନମ୍ବର ଓଡି ୨୩ଏଫ ୯୫୪୬ରେ ଆସି ତାଙ୍କ ଉପରକୁ ଗୁଳିମାଡ କରିଥିଲେ। ସେମାନେ ମୋଟ ୫ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ଅମିତଙ୍କ ଦେହରେ ୩ଟି ବାଜିଥିଲା। ଏଥିରୁ ଗୋଟିଏ ଅମିତଙ୍କ ପିଠିରେ ବାଜିଥିବା ବେଳେ ଗୋଟିଏ ଛାତିରେ ଓ ଆଉ ଗୋଟିଏ ହାତରେ ଲାଗିଛି। ଗୁଳିକାଣ୍ଡ ପରେ ଯୁବକମାନେ ଖସି ପଳାଉଥିବା ବେଳେ ସେମାନଙ୍କ ବାଇକ୍ ସ୍ଲିପ ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ସେମାନେ ବାଇକ୍ ଓ ଏକ ଦେଶୀ ବନ୍ଧୁକ ଛାଡି ପଳାଇଛନ୍ତି। ଗୁରୁତର ଅମିତଙ୍କୁ ପ୍ରଥମେ ମଣ୍ଡଳିଆ ହସ୍ପିଟାଲକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଗୁଳିକାଣ୍ଡ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ହୁଏତ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗୁଳିକାଣ୍ଡ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଘଟଣାସ୍ଥଳରେ ବ୍ରଜରାଜନଗର ଏସଡିପିଓଙ୍କ ସମେତ ସ୍ଥାନୀୟ ଥାନା ଆଇଆଇସି ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି। ତେବେ ବ୍ରଜରାଜନାଗରରେ ଏହା ପ୍ରଥମ ଗୁଳିକାଣ୍ଡ ନୁହେଁ । ଗତ ୧୦ ତାରିଖ ମଣ୍ଡାଳିଆରେ ମଧ୍ୟ ସମାନ ଧାରଣର ଗୁଳିକାଣ୍ଡ ଘଟଣା ଘଟିଥିଲା। ଏଥିରେ ବାଇକରେ ଆସିଥିବା ୨ ଜଣ ଯୁବକ ଅମିତ ଗୁପ୍ତା ନାମକ ଜନୈକ ଯୁବକଙ୍କ ଉପରକୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ। ପୋଲିସ ଏପର୍ଯ୍ୟନ୍ତ ଗୁଳିକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ କରିବା ଦୂରର କଥା ଠାବ ମଧ୍ୟ କରିପାରି ନାହିଁ। ତେବେ ଏଥର ଦୁର୍ବୃତ୍ତ ପୋଲିସ ଲାଗି ବାଇକ୍ ଓ ବନ୍ଧୁକ ସୁରାଗ ଛାଡି ଯାଇଛନ୍ତି। ଯାହା ପୋଲିସ ତଦନ୍ତରେ ସହାୟକ ହେବ ବୋଲି ଆଶା କରାଯାଉଛି।