ଭୁବନେଶ୍ବର ଲିଂଗିପୁର ପେଟ୍ରୋଲ ପମ୍ପରେ ବିଜେଡିର ପିକେଟିଂ ବେଳେ ଗୁଳିକାଣ୍ଡ, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
7/09/2018 at 12:13 PM

ଭୁବନେଶ୍ବର୭|୯: ଭୁବନେଶ୍ବର ଉପକଣ୍ଠ ଲିଙ୍ଗିପୁର ପେଟ୍ରୋଲ ପମ୍ପ ନିକଟରେ ଗୁଳିକାଣ୍ଡ ଘଟିଛି।ବିଜେଡି ନେତାମାନେ ତେଲ ଦର ବୃଦ୍ଧି ପାଇଁ ଏଠାରେ ପ୍ପିକେଟିଂ କରୁଥିବାବେଳେ ଏହି ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡରେ କାହାର କ୍ଷତି ହୋଇନଥିଲେ ମଧ୍ୟ ପିକେଟିଂର ନେତୃତ୍ବ ନେଉଥିବା ବିଜେଡିର ସ୍ଥାନୀୟ ନେତା ରବିନ୍ଦ୍ର ପାତ୍ର ଅଳ୍ପକେ ବର୍ତ୍ତିଯାଇଛନ୍ତି। ଦୁର୍ବୃତ୍ତଙ୍କୁ ଗିରଫ ଦାବିରେ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି।ଗୁଳିକାଣ୍ଡ ଘଟାଇଥିବା ଯୁବକଙ୍କ ନାଁ ଚିନ୍ମୟ ବଡଜେନା ବୋଲି ଅଭିଯୋଗ ହୋଇଛି।ଗୁଳିକାଣ୍ଡର କିଛି ସମୟ ପୂର୍ବରୁ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଲିଂଗିପୁର ପେଟ୍ରୋଲପମ୍ପ ପିକେଟିଂରେ ସାମିଲ ହୋଇଥିଲେ।ସୂଚନାଯୋଗ୍ୟ ଯେ, ପିକେଟିଂ ଚାଲିଥିବାବେଳେ ଦୁର୍ବୃତ୍ତ ଦୁଇ ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇଯାଇଥିଲା। ତେବେ କାହିଁକି ସେ ଗୁଳି ଚାଳନା କଲା ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ବିଜେଡିର ପିକେଟିଂ ବେଳେ ଲିଂଗିପୁର ପେଟ୍ରୋଲପମ୍ପ ନିକଟରେ ଅଳ୍ପ ସଂଖ୍ୟକ ପୋଲିସ ଥିଲେ । ତାର ସୁଯୋଗ ନେଇ ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇବାକୁ ସାହସ କଲା ବୋଲି ମଧ୍ୟ କୁହାଯାଉଛି।