ଶତ୍ରୁତା ଆଗରେ ହାର୍ ମାନିଲା ସମ୍ପର୍କ, ଭାଇକୁ ଗୁଳି କଲା ଭାଇ
2/07/2020 at 8:10 PM

ଖୋର୍ଦ୍ଧା, ୦୨|୦୭: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଗୁରୁବାର ଦିନ ଦ୍ବିପ୍ରହରରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ ହୋଇଛି । ଗାଁ ପୋଖରୀ ହୁଡା ରେ ଏହି ଗୁଳିକାଣ୍ଡ ଘଟିଛି ।
ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କାହ୍ନୁ ପରିଡା । ତାଙ୍କ ବୟସ ୩୭ ବର୍ଷ ବୋଲି ଜଣାପଡିଛି । ଗୁଳିଟି ତାଙ୍କର ମୁହଁରେ ବାଜି ଭିତରେ ରହିଥିବାର ସୂଚନା ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । କିନ୍ତୁ ଅବସ୍ଥା ବେଶ୍ ଗୁରୁତର ରହିଥିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ପାଇ ବାଣପୁର ପୋଲିସ୍ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଏହି ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।
ତେବେ ଘରୋଇ କଳହକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଛି । ଭାଇ-ଭାଇ ମଧ୍ୟରେ କଳହରୁ ଏହି ଅଭାବନୀୟ ଘଟଣା ଘଟିଛି । ଆକ୍ରମଣକାରୀ ଏବଂ ଆହତ ଦୁହେଁ ସଂପର୍କୀୟ ଭାଇ । ପୂର୍ବ ଶତ୍ରୁତା ଯୋଗୁଁ ଏହି ଗୁଳିକାଣ୍ଡ ଓ ମାରଣାନ୍ତକ ଆକ୍ରମଣ କରାଯାଇଛି ବୋଲି ଆହତଙ୍କ ଆତ୍ମୀୟ କହିଛନ୍ତି ।