ଦୀପାବଳି ପାଇଁ ସତର୍କ ସୂଚନା ଜାରି କଲା ଅଗ୍ନିଶମ ବିଭାଗ
26/10/2019 at 3:53 PM

କଟକ ୨୬|୧୦: ଦିପାବଳୀ ବେଳେ ସାମ୍ଭାବ୍ୟ ଅଗ୍ନିକାଣ୍ଡ ଦୁର୍ଘଟଣାକୁ ରୋକିବା ପାଇଁ ଅଗ୍ନିଶମ ବିଭାଗ ତରଫରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

କଟକରେ ୫ଟି ଅସ୍ଥାୟୀ ଅତିରିତ୍କ ଅଗ୍ନିଶମ କେନ୍ଦ୍ର ଖୋଲାଯାଇଛି। ସେହିପରି ଲୋକମାନଙ୍କୁ ହଇରାଣ କଲେ ଏବଂ ରାତି ୧୦ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। ଦୀପାବଳୀ ରାତିରେ ସହରରେ ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୂତୟନ କରାଯିବ ବୋଲି ଡିସିପି କହିଛନ୍ତି ।

ଦିପାବଳୀ ସମୟରେ ଦୁର୍ଘଟଣା ଓ ଅଗ୍ନିକାଣ୍ଡ ଘଟଣା ରୋକିବା ପାଇଁ ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୂୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ପାଗ ଧିରେଧିରେ ଶୁଖିଲା ହେଉଥିବା ବେଳେ ଶନିବାର, ରବିବାର ଓ ସୋମବାର ତିନିଦିନ ଧରି ବିଭିନ୍ନ ସ୍ଥାନରେ ବାଣ ଫୁଟାଯିବ।

ତେଣୁ କଟକ ବକ୍ସିବଜାର ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଯେକୌଣସି ପରିସ୍ଥିତର ମୂକାବିଲା କରିବା ପାଇଁ ଅଗ୍ନିଶମ ବିଭାଗ ସଜାଗ ରହିଥିବା କୁହାଯାଇଛି। ସେହିପରି କେବଳ କଟକ ସହର ପାଇଁ ୫ଟି ଅତିରିକ୍ତ ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଖୋଲାଯାଇଛି।

ସେପଟେ କମିଶନରେଟ୍ ପୋଲିସ୍ ମଧ୍ୟ ଲୋକମାନେ କିଭଳି ନିରାପଦରେ ବାଣ ଫୁଟାଇବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରିଛି । ରାତି ୧୦ଟା ପରେ ବାଣ ଫୁଟାଇବା ନେଇ ଥିବା କଟକଣା କଡାକଡି ଲାଗୁ କରିବାକୁ ପୋଲିସ୍ ପଦକ୍ଷେପ ନେଇଥିବା କଥା ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି ।

ଲୋକମାନଙ୍କୁ ଖୋଲା ଜାଗାରେ ସୁତାବସ୍ତ୍ର ପିନ୍ଧି ବାଣ ଲଗାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ନିକଟରେ ପାଣି ରଖିବା ସହ ଅଫୁଟା ବାଣକୁ ଫୁଟାଇବା ପାଇଁ ଚେଷ୍ଟା ନକରିବାକୁ ଅନୁରୋଧ କରାଯାଇଛି।
