ଔଷଧ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ, ଲଗାତାର ଭାବେ ହେଲା ୧୭ ବିସ୍ଫୋରଣ
14/07/2020 at 7:29 AM

ବିଶାଖାପାଟଣା, ୧୪|୦୭: ବିଶାଖାପାଟନମର ଫାର୍ମା ସିଟିରେ ପୁଣି ଦୁର୍ଘଟଣା । ସୋମବାର ରାତିରେ ବିଶାଖାପାଟଣାର ପାର୍ବଡା ଫାର୍ମା ସିଟିରେ ଏକ ଔଷଧ କମ୍ପାନୀରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ପାର୍ବଡା ଅଞ୍ଚଳର ଜବାହରଲାଲ ନେହେରୁ ଫାର୍ମା ସିଟିରେ ଥିବା ରାମକି ସିଇଟିପି ସଲଭେଣ୍ଟସ୍ ପ୍ଲାଣ୍ଟର ଏକ ୟୁନିଟରେ ଏହି ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୧୭ଟି ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଯାହାକୁ ଏକ କିଲୋମିଟରରୁ ଅଧିକ ଦୂରରୁ ଦେଖିହେଉଥିଲା। ଫାର୍ମା ସିଟିରେ ଥିବା ରାସାୟନିକ ଉତ୍ପାଦନକାରୀ କାରଖାନାରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି।

ନିଆଁକୁ ଆୟତ୍ତ କରିବା ପାଇଁ ୧୨ଟି ଅଗ୍ନିଶମ ଦଳ ନିୟୋଜିତ କରାଯାଇଥିଲା। ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି। ନିଆଁ ରିଆକ୍ଟରରୁ ଆରମ୍ଭ ହୋଇ ପ୍ଲାଣ୍ଟର ଅନ୍ୟ ଅଂଶକୁ ବ୍ୟାପି ଯାଇଥିଲା। ତେବେ ଏହି ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି । ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ରାତି ଡ୍ୟୁଟିରେ ଥିବା ଶ୍ରମିକ ଓ କର୍ମଚାରୀମାନେ ନିରାପଦରେ ଫେରିଆସିବା ନେଇ କାମନା କରିଛନ୍ତି । ଅଗ୍ନିକାଣ୍ଡର ଦୃଶ୍ୟକୁ ସେ ଅତି ଭୟଙ୍କର ବୋଲି ବର୍ଣ୍ଣନା କରିଛନ୍ତି ।