ପେନସିଲ୍ ବମ୍ ଫାକ୍ଟ୍ରିରେ ଲାଗିଗଲା ନିଆଁ, ଆଖି ପିଛୁଳାକେ ଚାଲିଗଲା ୮ ଜୀବନ, ୪ରୁ ଅଧିକ ହସ୍ପିଟାଲରେ

Published By : Prameya-News7 Bureau | July 05, 2020 IST

ଗାଜିଆବାଦ, ୦୫|୦୭:  ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଏକ ପେନସିଲ୍ ବୋମା ତିଆରି ଫାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏହି ଅଘଟଣରେ ଏବେସୁଦ୍ଧା ୮ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୭ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି । ଏତତ୍ ବ୍ୟତୀତ ଅତିକମରେ ୪ଜଣ ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ ଦମକଳବାହିନୀ ପହଁଚ ନିଆଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଏହି ଫାକ୍ଟ୍ରିଟି ବେଆଇନ୍ ଭାବେ ଚାଲୁଥିଲା । ଏଠାରେ କେକ୍ ଉପରେ ଲଗାଯାଉଥିବା ପେନସିଲ୍ ବୋମା ଓ ମହମବତୀ ତିଆରି କରାଯାଏ । ଏଠାରେ ଅଧିକ ସଂଖ୍ୟକ ମହିଳା ଓ ଶିଶୁ କାମ କରନ୍ତି । ଫାକ୍ଟ୍ରି ନିକଟବର୍ତ୍ତୀ ଗ୍ରାମବାସୀ ଏଠାରେ କାମ କରିଥାନ୍ତି । ତେବେ ଅଘଟଣର ସୂଚନା ପାଇ ତୁରନ୍ତ ଦମକଳ ବାହିନୀ ପହଁଚି ନିଆଁ ଲିଭାଇବା ଉଦ୍ୟମ ଜାରି ରଖିଛନ୍ତି  ।

ଅଗ୍ନିଶମ ବାହିନୀର ଜଣେ ଅଧିକାରୀଙ୍କ କହିବାନୁସାରେ, ରବିବାର ପ୍ରାୟ ୪ଟା ବେଳେ ନିଆଁ ଲାଗିଥିବା ଖବର ମିଳିଥିଲା । ପ୍ରଥମେ ଏକ ଚାଳଘରେ ନିଆଁ ଲାଗିଥିଲା । ପରେ ଏହା ପୁରା ଫାକ୍ଟ୍ରିକୁ ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ହିଁ ୮ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେବି କିଛି ଲୋକ ନିଆଁ ଲାଗିଥିବା ଫାକ୍ଟ୍ରି ଘର ଭିତରେ ଫସି ରହିଥିବା ସନ୍ଦେହ କରାଯାଉଛି ।

ତେବେ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକେ ପୋଲିସ ଟିମ୍ ସହ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଅଟକ ରଖିଥିଲେ । ପୋଲିସ ବିରୋଧରେ ସେମାନେ ଅବହେଳା ପ୍ରଦର୍ଶନ ଅଭିଯୋଗ  ଆଣିଥିଲେ । ଏହା ବେଆଇନ ଭାବେ ତିଆରି ହୋଇଥିବା ଓ କୌଣସି ସୁରକ୍ଷା ଦୃଷ୍ଟିକୋଣକୁ ଧ୍ୟାନ ଦିଆଯାଇ ନଥିବା ସେମାନେ ଅଭିଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.