ଜଳିଗଲା ଓରିଏଣ୍ଟାଲ ବ୍ୟାଙ୍କ୍ ଅଫ୍ କମର୍ସ ରାଜ୍ୟ ମୁଖ୍ୟ ଶାଖା ; ବହୁ ମୂଲ୍ୟବାନ ନଥିପତ୍ର ପୋଡି ଭସ୍ମ, ନିଆଁ ପଛରେ ଷଡଯନ୍ତ୍ର ଥିବା ସନ୍ଦେହ

Published By : Prameya-News7 Bureau | December 08, 2018 IST

ଭୁବନେଶ୍ବର ୦୮|୧୨: ଭୁବନେଶ୍ବର ଗଣ୍ଡମୁଣ୍ଡା ଅଞ୍ଚଳରେ ଥିବା ଓରିଏଣ୍ଟାଲ୍ ବ୍ୟାଙ୍କ୍ ଅଫ୍ କମର୍ସର ରାଜ୍ୟ ମୁଖ୍ୟ ଶାଖାରେ ଭୟାବହ ଅଗ୍ନିକାଣ୍ଡର ଛାନଭିନ୍ ଆରମ୍ଭ ହୋଇଛି । ଅଗ୍ନିକାଣ୍ଡରେ ବ୍ୟାଙ୍କର ପ୍ରଥମ ମହଲା ସଂପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଅନେକ ମୂଲ୍ୟବାନ ନଥିପତ୍ର ଭସ୍ମ ହୋଇ ଯାଇଛି । ଜଳି ପୋଡ଼ି ପାଉଁଶ ହୋଇଯାଇଛି ଗ୍ରାହକଙ୍କ ସଂପର୍କିତ ବ୍ୟାଙ୍କର ବହୁ ଗୁରୁତ୍ବପୂର୍ଣ୍ଣ ନଥିପତ୍ର । ଏହି ମହଲାରେ ଥିବା କମ୍ପ୍ୟୁଟର ଗୁଡ଼ିକ ବି ପାଉଁଶ ହୋଇଯାଇଛି । କାଗଜପତ୍ର ସହ ପ୍ଲାଏ, କାଠ ଆଦି ଏହି ଫ୍ଲୋରରେ ଅଧିକ ଥିବାରୁ ନିଆଁଲିଭା ସହଜ ହୋଇ ନ ଥିଲା । ଦ୍ବିତୀୟ ମହଲାର କିଛି ଅଂଶ ମଧ୍ୟ ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଛି । କ୍ୟାସ୍ ରହୁଥିବା ଜୋନ୍ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବି ନିଆଁ ଲିଭା ବେଳେ ଅନେକ ନୋଟ୍ନଷ୍ଟ ହୋଇଥିବା ଜଣାପଡ଼ିଛି ।

ରାତି ପ୍ରାୟ ସାଢେ ୧୧ରେ ବ୍ୟାଙ୍କର ପ୍ରଥମ ମହଲାରୁ ଧୂଆଁ ବାହାରୁଥିବା ଦେଖିଥିଲେ ସିକ୍ୟୁରିଟି ଗାର୍ଡ । ପରେ ଦମକଳ ବାହିନୀଙ୍କୁ ଖବର ଦିଆଯାଇଥିଲା । ପ୍ରଥମେ ନିଆଁର ତୀବ୍ରତା ଖୁବ୍ କମ୍ ଥିଲା । ହେଲେ ନିଆଁ ଲାଗିଥିବା ସ୍ଥାନକୁ ପାଣି ଠିକ୍ ଭାବେ ନ ପହଞ୍ଚି ପାରିବାରୁ ଏହାନିୟନ୍ତ୍ରଣକୁ ଆସି ନ ଥିଲା ।  ପରେ ଏହା ବ୍ୟାପକ ରୂପ ନେଇଥିଲା । ନିଆଁ ଲିଭା କାର୍ଯ୍ୟରେ ୭ଟି ଦମକଳ ୟୁନିଟକୁ ନିୟୋଜିତ କରାଯାଇଥିଲା । ରାତି ପ୍ରାୟ ସାଢେ ୩ଟାରେ ନିୟନ୍ତ୍ରଣକୁ ଆସିଥିଲା ନିଆଁ ।  ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁଁ ହୋଇଥିବା ଆଶଙ୍କା କରାଯାଉଛି । ତେବେ ବ୍ୟାଙ୍କରେ ନିଆଁ ଲଗିବା ପଛରେ କୌଣସି ଷଡ଼ଯନ୍ତ୍ର ବି ଥାଇପାରେ  ବୋଲି ଅନେକ ସନ୍ଦେହ କରିଛନ୍ତି। ଅଗ୍ନିକାଣ୍ଡରେ କ୍ଷୟକ୍ଷତି ଆକଳନ ସହ ନିଆଁ ଲାଗିବାର କାରଣ ନେଇ ତନାଘନା କରିବାକୁ ଘଟଣାସ୍ଥଳରେ ବ୍ୟାଙ୍କର ଉଚ୍ଚ ଅଧିକାରୀମାନେ ପହଞ୍ଚିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.