ଜଙ୍ଗଲରେ ନିଆଁ ପାଇଁ ଅକଳରେ ବନବିଭାଗ, ଡକାଗଲା ଜରୁରୀ ବୈଠକ

Published By : Prameya-News7 Bureau | March 08, 2021 IST

ଆଠଗଡ, ୦୮/୦୩: ଆଠଗଡ଼ ବନଖଣ୍ଡ ଅଧୀନରେ ଥିବା ଖୁଣ୍ଟୁଣୀ, ଆଠଗଡ଼, ବଡ଼ମ୍ବା, ନରସିଂହପୁର ପୂର୍ବ ଏବଂ ନରସିଂହପୁର ପଶ୍ଚିମ ଭଳି ପାଞ୍ଚଟି ବନାଞ୍ଚଳରେ ନିଆଁ କ୍ରମଶଃ ଅଣାୟତ୍ତ ହେବାରେ ଲାଗିଛି । ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଜାଦବଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜିର ଦିନରେ ବନଖଣ୍ଡର ୪୫ଟି ଜାଗାରେ ନିଆଁ ଲାଗିଛି।

ପୂର୍ବରୁ ଲାଗିଥିବା ନିଆଁ ଆୟତ୍ତ ହୋଇସାରିଛି । ବିଶେଷ କରି ଖୁଣ୍ଟୁଣୀ ଏବଂ ଆଠଗଡ଼ ରେଞ୍ଜରେ ଲାଗିଥିବା ନିଆଁ ଆଉ ପ୍ରାୟତଃ ନାହିଁ । କିନ୍ତୁ ବଡ଼ମ୍ବା ସହିତ ନରସିଂହପୁରରେ ଥିବା ଦୁଇଟି ଯାକ ରେଞ୍ଜରେ ନିଆଁ ଆୟତକୁ ଆସିପାରି ନାହିଁ । ଏଥିପାଇଁ ବନବିଭାଗ ସଜାଗ ଅଛି ବୋଲି କୁହାଯାଇଛି । ଆଠଗଡ଼ ବନଖଣ୍ଡର ପାଞ୍ଚଟି ଯାକ ରେଞ୍ଜରେ ଦଶଜଣ ଲେଖାଏଁ ନିଆଁ ଲିଭାଇବାକୁ କର୍ମଚାରୀଙ୍କ ସହିତ ଗୋଟିଏ ଲେଖାଏଁ ଗାଡି ଦିଆଯାଇଛି ।

ଏଥିସହିତ ହାତୀ ଜଗୁଆଳୀ ଏବଂ ଅନ୍ୟାନ୍ୟ ଅର୍ଦ୍ଧ ଜଙ୍ଗଲ ବିଭାଗ (ପାରା ଫରେଷ୍ଟ) କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି । ନିଆଁ ଲିଭାଇବାକୁ ଯଥା ସମ୍ଭବ ଆବଶ୍ୟକୀୟ ପାଣି ଯେଉଁଠାରେ ରହିଛି ତାକୁ ମଧ୍ୟ ବିନିଯୋଗ କରିବାକୁ କୁହାଯାଇଛି । ଏଥିସହିତ କର୍ମଚାରୀମାନଙ୍କୁ ଫାୟାର ଷ୍ଟିକ୍, ଫାୟାର ଵ୍ଲୋୟର ଆଦି ଆଧୁନିକ ଯନ୍ତ୍ର ପାତି ଦିଆଯାଇଛି ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ଜଙ୍ଗଲ ମଝିରେ ପ୍ରାକୃତିକ ଭାବେ ଲାଗୁଥିବା ନିଆଁକୁ ଆୟତ କରିବା କଷ୍ଟକର ହୋଇପଡୁଛି । କିନ୍ତୁ କିଛି ଦୁବୃର୍ତ୍ତମାନଙ୍କ ଦ୍ଵାରା ଲଗାଯାଉଥିବା ନିଆଁ ଅନେକ ସମୟରେ ସମସ୍ୟା ସୃଷ୍ଟି କରିଛି । ଏ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଆଜି ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପାଞ୍ଚଟି ଯାକ ବନାଞ୍ଚଳର ରେଞ୍ଜରମାନେ ଯୋଗ ଦେଇ ଜଙ୍ଗଲରେ ଲାଗୁଥିବା ନିଆଁକୁ ନେଇ ସେମାନଙ୍କ ଅଭିଜ୍ଞତା ଏବଂ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ସେହି ଭଳି ଦୁବୃର୍ତ୍ତମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଠଗଡ଼ ବନଖଣ୍ଡ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.