ବନବିଭାଗର ଦାୟିତ୍ୱହୀନତା କାରଣରୁ ଜଳୁଛି ଜଙ୍ଗଲ, ବନ୍ୟଜନ୍ତୁ ଗାଁ ମୁହାଁ
2/03/2021 at 9:16 PM

ଆଠଗଡ଼,୦୨/୦୩: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡର ୫ଟି ଯାକ ରେଞ୍ଜର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ଦେଖିବାକୁ ମିଳୁଥିବା ବେଳେ ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ଗୋବରା ସରଂକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି । ଦିନକୁ ଦିନ ଜଙ୍ଗଲରେ ନିଆଁ ଲାଗୁଥିବାରୁ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ଦେଖାଦେଇଛି । ଯାହା ଫଳରେ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ବିଭିନ୍ନ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି । ଫଳରେ ଭୟଭୀତ ଅବସ୍ଥାରେ ଗ୍ରାମବାସୀ ରହୁଥିବା ଦେଖିବାକୁ ମିଳିଛି ।
ନିଦରେ ଶୋଇଛନ୍ତି ବନାଞ୍ଚଳ ଅଧିକାରୀ । ଗତ ଫେବୃଆରୀ ୨୬ ତାରିଖରେ ବଡ଼ମ୍ବା ବନାଞ୍ଚଳର ଗୋପପୁର, ନଗତୋଟା, ହଳଦିଆଶେଣୀ, ମାଣିଆବନ୍ଧ, କରଡ଼ା ସଂରକ୍ଷିତ ଜଙ୍ଗଲରେ ଅଗ୍ନିକାଣ୍ଡ ହୋଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ଆଠଗଡ଼ ରେଞ୍ଜରେ ବି ସମାନ ଅବସ୍ଥା ହୋଇଛି । ବିଶେଷ କରି ଗ୍ରୀଷ୍ମ ଋତୁରେ ଜଙ୍ଗଲ ସୁରକ୍ଷା ତଥା ଜଙ୍ଗଲର ନିଆଁକୁ ଆୟତ୍ତ କରିବା ଏବଂ ବନ୍ୟ ଜୀବଜନ୍ତୁମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ପ୍ରୟାସ କରୁଛନ୍ତି ।
ଜଙ୍ଗଲର ମୂଲ୍ୟବାନ ବୃକ୍ଷଗୁଡ଼ିକର ସୁରକ୍ଷା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ୱତନ୍ତ୍ର ଗାଡ଼ି ନିୟୋଜିତ କରିଛନ୍ତି । ଏଥିସହିତ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଅଗ୍ନି ନିର୍ବାପନ ଯନ୍ତ୍ର ଓ ଉପକରଣମାନ ଯୋଗାଇ ଦେଉଥିଲେ ମଧ୍ୟ ଦାୟୀତ୍ୱରେ ଥିବା ଅଧିକାରୀ ମାନଙ୍କର ମନମୁଖୀ କରାଣରୁ ଏହା କାର୍ଯ୍ୟରେ ଲାଗି ପାରୁ ନାହଁ । ତେବେ ଆଠଗଡ଼ ବନଖଣ୍ଡର ସଂରକ୍ଷିତ ଜଙ୍ଗଲ ଏବେ ଭଗବାନଙ୍କ ଭରଷାରେ ରହିଥିବା ସ୍ଥାନୀୟ ଲୋକ କହିଛନ୍ତି ।