ବାଣ ଭିଡ଼ିଲା ବେଳେ ବିସ୍ପୋରଣ, ନିଆଁ ଲାଗି ଚାଳ ଘର ପାଉଁଶ, ଜଣେ ମୃତ ଏବଂ ଜଣେ ଆହତ

Published By : Prameya-News7 Bureau | November 04, 2021 IST

କେନ୍ଦ୍ରାପଡା, ୪/୧୧: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଯୁଇଦାସପୁର ଗାଁରେ ବାଣ ବିସ୍ପୋରଣ। ବାଣ ଭିଡ଼ିଲା ବେଳେ ବିସ୍ପୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ବାଣ କାରିଗର  କୃଷ୍ଣଚନ୍ଦ୍ର ନାୟକ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣାରେ ବାଣ କିଣିବାକୁ ଯାଇଥିବା ସ୍ଥାନୀୟ ଯୁବକ ଚିନ୍ମୟ ବରାଳ ଗୁରୁତର ଆହତ ହୋଇଛନ୍ତି । ବିସ୍ପୋରଣରେ ବାଣ ପ୍ରସ୍ତୁତ ହେଉଥିବା ଚାଳ ଛପର ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଏମିତିକି ନିକଟରେ ଥିବା କୋଠା ଘର ଝର୍କା କବାଟ ମଧ୍ୟ ଭାଙ୍ଗୁରୁଜି ନଷ୍ଟ ହୋଇଯାଇଛି।

ଆଜି ସନ୍ଧ୍ୟାରେ କୃଷ୍ଣଚନ୍ଦ୍ର ନିଜ ଘରେ ବାଣ ତିଆରି କରୁଥିବା ବେଳେ ହଠାତ ବିସ୍ପୋରଣ ଘଟିଥିଲା। ଫଳରେ ପାଖରେ ଥିବା ବାଣ ତିଆରି ସାମଗ୍ରୀ ସମେତ ବିକ୍ରି ପାଇଁ ଥିବା ବାଣରେ ନିଆଁ ଲାଗି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ବଡ଼ ଧରଣର ଶବ୍ଦ କରି ନିଆଁ ଜଳି ଉଠିଥିଲା। ବିସ୍ପୋରଣରେ କୃଷ୍ଣଚନ୍ଦ୍ରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗ୍ରାମବାସୀ ମାନେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ପରେ ଅଗ୍ନିଶମ ବିଭାଗ ଦୁର୍ଘଟଣା ସ୍ଥଳରେ ପହଁଞ୍ଚିଛି। ଆହତ ଚିନ୍ମୟଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଏସସିବି ମେଡିକାଲକୁ  ସ୍ଥାନାନ୍ତର କରାଯାଇଛି। ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.