ଦକ୍ଷିଣ ଚୀନ୍ ସାଗରରେ ବଳ ଦେଖାଇଲା ଚୀନ୍, ଫାୟାର୍ ଡ୍ରିଲ୍ ସହ ଆମେରିକାକୁ ଉଖୁରେଇଲା

Published By : Prameya-News7 Bureau | July 26, 2020 IST

ବେଜିଂ, ୨୬|୦୭: ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକା ସହ ଚୀନର ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଏହାମଧ୍ୟରେ ଚୀନର ପିପୁଲ୍ସ ଲିବରେସନ୍ ଆର୍ମୀ ଦକ୍ଷିଣ ଚୀନ୍ ସାଗରରେ ଫାୟାର୍ ଡ୍ରିଲ୍ ବା ଯୁଦ୍ଧାଭ୍ୟାସ ଆରମ୍ଭ କରିଦେଇଛି ।

ଦକ୍ଷିଣ ଚୀନ୍ ସାଗରରେ ଥିବା ଗୁଆଙ୍ଗଡଙ୍ଗ୍ ଲେଇଝୋୟୁ ପେନିନସୁଲାରେ ଏହି ଯୁଦ୍ଧାଭ୍ୟାସ ଆରମ୍ଭ ହୋଇଛି । ଏହା ୭ ଦିନ ଧରି ଚାଲିବ । ଏହି ଯୁଦ୍ଧାଭ୍ୟାସରେ ପିଏଲଏ ଶକ୍ତି ପ୍ରଦର୍ଶନ କରିବ । ଆଣ୍ଟି ସିପ୍, ଆଣ୍ଟି ଏୟାରକ୍ରାଫ୍ଟରେ ଏହି ଯୁଦ୍ଧାଭ୍ୟାସ ହେବ । ଚୀନ ନୌସେନା ଓ ବାୟୁସେନା ଏଥିରେ ସାମିଲ ହୋଇଛନ୍ତି । ଆମେରିକା ତାଇଓ୍ୱାନ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପରେ ଚୀନ ଏହି ପଦକ୍ଷେପ ନେଇଛି ।

ଗତ ସପ୍ତାହରେ ଆମେରିକା ଚୀନର ଦାବିକୁ ଅଗ୍ରାହ୍ୟ କରିଦେଇଥିଲା । ଯେଉଁଥିରେ ଚୀନ ଭିଏତନାମ, ଫିଲିପାଇନ୍ସ, ମାଲେସିୟା, ବ୍ରୁନେଇ ଓ ତାଇଓ୍ୱାନକୁ ନିଜର କହିଥିଲା ।

ପିଏଲଏର ଏହି ଯୁଦ୍ଧାଭ୍ୟାସ ସିଧାସଳଖ ଭାବେ ଆମେରିକାକୁ ଆହ୍ୱାନ ଦେବାକୁ କରାଯାଇଛି । ତେବେ ଏହି ଯୁଦ୍ଧାଭ୍ୟାସକୁ ନେଇ ଚୀନ ପକ୍ଷରୁ ଅଧିକ ତଥ୍ୟ ପ୍ରଦାନ କରାଯାଇ ନାହିଁ । କିନ୍ତୁ ଏଥିରେ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ସାମିଲ କରାଯାଇଛି । ଏଥିରେ ସାମିଲ ଥିବା ଆଣ୍ଟି ସିପ୍ ମିସାଇଲର ଲକ୍ଷ୍ୟଭେଦ କ୍ଷମତା  ୩୦୦ରୁ ୪୦୦ କିମି ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ଚୀନବାୟୁସେନା ଲାଇଭ୍ ଫାୟାର୍ ଡ୍ରିଲ୍ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.