ସମ୍ବଲପୁର ମାଟ୍ରିକ ବୋର୍ଡ କାର୍ଯ୍ୟାଳୟରେ ଦୁର୍ବୃତ୍ତ ଲଗାଇଲେ ନିଆଁ ; ଜଳିଗଲା ମାଟ୍ରିକ ପିଲାଙ୍କ ଫର୍ମ ସହ ବହୁ ଜରୁରୀ କାଗଜପତ୍ର, ଆନ୍ଦୋଳନରତ ଓକିଲଙ୍କ ସଂପୃକ୍ତି ଅଭିଯୋଗ

Published By : Prameya-News7 Bureau | December 19, 2018 IST

ସମ୍ବଲପୁର ୧୯|୧୨: ସମ୍ବଲପୁର ଜେଲ୍‌ ଛକରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦର ଜୋନାଲ୍‌ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଫର୍ମ ପୋଡି ଯାଇଛି । ୫ରୁ ୭ଜଣ ଦୁର୍ବୁର୍ତ୍ତ ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚି କାହିଁକି କାର୍ଯ୍ୟାଳୟ ଖୋଲାଯାଇଛି ବୋଲି ପ୍ରଶ୍ନ କରିବା ପରେ ସମସ୍ତ କର୍ମଚାରୀଙ୍କୁ ବାହାର କରି ନିଆଁ ଲଗାଇଦେଇଥିଲେ । ଘଟଣା ପଛରେ ପଶ୍ଚିମ ଓଡିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ହାତ ଥିବା ଅଭିଯୋଗ ହୋଇଛି । ହେଲେ ଏହାକୁ ଅସ୍ବୀକାର କରିଛି କ୍ରିୟାନୁଷ୍ଠାନ କମିଟି ।

{"id":65346}

ମାଧ୍ୟମିକ ଶିକ୍ଷା ପରିଷଦର ଜୋନାଲ୍‌ କାର୍ଯ୍ୟାଳୟରେ ନିଆଁ। ନିଆଁ ଲାଗି ୩ଟି କୋଠରୀରେ ଥିବା ସମସ୍ତ କାଗଜପତ୍ର ଜଳି ପାଉଁଶ ହୋଇଯାଇଛି। ପୋଡି ଯାଇଥିବା କାଗଜପତ୍ର ମଧ୍ୟରେ, ଆସନ୍ତା ମାଟ୍ରିକ ବୋର୍ଡ ଓ ସପ୍ଲିମେଣ୍ଟାରୀ ପରୀକ୍ଷାର ଫର୍ମ ସହ, ଅନେକ ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ ପୋଡିଯାଇଛି । ଦିନ ୨ଟା । ପିଲାଙ୍କ ମାଟ୍ରିକ୍‌ ପରୀକ୍ଷା ଫର୍ମ ପୁରଣ ସହ, ପରୀକ୍ଷାକେନ୍ଦ୍ର ସଂପର୍କିତ କାମ ଚାଲିଥିଲା ବୋର୍ଡ ଅଫିସ୍‌ରେ। ହଠାତ୍‌ ୫ରୁ ୭ଜଣ ଲୋକ କାର୍ଯ୍ୟାଳୟରେ ପହଞ୍ଚି, ପଶ୍ଚିମ ଓଡିଶାର ସମସ୍ତ କାର୍ଯ୍ୟାଳୟ ଗତ ୧୦୬ ଦିନ ହେଲା ବନ୍ଦ ରହିଥିବା ବେଳେ, ତୁମେ କାହିଁକି ଖୋଲିଛ ବୋଲି ବୋର୍ଡ ସଂପାଦକଙ୍କୁ ପ୍ରଶ୍ନ କରିଥିଲେ। ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟାଳୟ ବାହାରକୁ ଚାଲିଯିବାକୁ କହି, ୩ଟି କୋଠରୀରେ କିରୋସିନି ପକାଇ ନିଆଁ ଲଗାଇଦେଇଥିଲେ। ନିଆଁ ପ୍ରବଳ ବେଗରେ ଜଳୁଥିବା ବେଳେ, ବୋର୍ଡ ସଂପାଦକ ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଫୋନ୍‌ ଯୋଗେ ଘଟଣା ସଂପର୍କରେ ଜଣାଇଥିଲେ । ଘଟଣା ପଛରେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନରେ ସଂପୃକ୍ତ ବ୍ୟକ୍ତିଙ୍କ ହାତ ଥିବା କହିଛନ୍ତି ବୋର୍ଡ ସଂପାଦକ । ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚି ଘଟଣା ପଛରେ କାହାର ହାତ ରହିଛି ତଦନ୍ତ ଚାଲିଥିବା କହିଛନ୍ତି ।

{"id":65348}

ଦମକଳ ବାହିନୀର ୪ଟି ଗାଡି ଦୀର୍ଘ ସମୟ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି । ଘଟଣାସ୍ଥଳରେ ସମ୍ବଲପୁର ବିଧାୟିକା ପହଞ୍ଚି ଅଗ୍ନିକାଣ୍ଡରେ କ୍ଷୟକ୍ଷତି ସଂପର୍କରେ ବୋର୍ଡ ସଂପାଦକଙ୍କୁ ପଚାରି ବୁଝିଛନ୍ତି । ଏହା ପଛରେ ଓକିଲ ସଂଘର ଆନ୍ଦୋଳନ ଥିବା ସେ କହିଛନ୍ତି । ପଶ୍ଚିମ ଓଡିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ସଂପାଦକ କହିଛନ୍ତି ଯେ, ଏହି ଅଗ୍ନିକାଣ୍ଡ ପଛରେ ଓକିଲ ସଂଘ କିମ୍ବା ସିଏସିର ହାତ ନାହିଁ। ଲୋକମାନଙ୍କ ସରକାରଙ୍କ ଉପରେ ଥିବା ରାଗର ଏହା ପ୍ରତିଫଳନ । ବେଞ୍ଚ ପ୍ରତିଷ୍ଠା ନହେଲେ ଲୋକଙ୍କ ରାଗ ଆଗକୁ ଏଭଳି ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି ।

{"id":65349}

କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ୧୦୬ଦିନର କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ମଧ୍ୟ, ସରକାର ବର୍ତ୍ତମାନ ସୁଦ୍ଧା ଆଲୋଚନାକୁ ନଡାକିବା, ଆନ୍ଦୋଳନକୁ ହେୟଜ୍ଞାନ କରିବା, ଏଭଳି ହିଂସାତ୍ମକ କାର୍ଯ୍ୟର ପ୍ରତିଫଳନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.