ଦିଲ୍ଲୀର ସାହିନବାଗରେ ଭୀଷଣ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ୪ ଦମକଳ ଗାଡି
29/03/2020 at 9:39 PM

ନୂଆଦିଲ୍ଲୀ ୨୯।୦୩: ସମଗ୍ର ଦେଶରେ କିଛି ମାସ ହେବ ଏନଆରସି ଓ ସିଏଏକୁ ନେଇ ଚାଲିଥିବା ବିରୋଧ ପ୍ରଦର୍ଶନକୁ ନେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ସାହିନବାଗ ଇଲାକାରେ ରବିବାର ସନ୍ଧ୍ୟାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହାର ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବିଭାଗର ୪ ଦମକାଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କୁହାଯାଉଛି ଯେ ଏକ ଫର୍ଣ୍ଣିଚର ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା ଏବଂ ଦେଖୁ ଦେଖୁ ଏହାର ଭୀଷଣ ରୂପ ନେଇଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ।
ଇଲାକାରେ ଅଗ୍ନିକାଣ୍ଡର ସୂଚନା ମିଳିବା ମାତ୍ରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ରାତି ପ୍ରାୟ ୮ଟା ୪୬ ମିନିଟ୍ରେ ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ଦଳ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଅନୁଯାୟୀ ନିଆଁ ପ୍ରଥମେ ଫର୍ଣ୍ଣିଚର ଦୋକାନରେ ଲାଗିଥିଲା।
ଉଲ୍ଲେଖଯୋଗ୍ୟ ଦିଲ୍ଲୀ ପୋଲିସ କରୋନା ଭାଇରସ୍ର ମୁକାବିଲା ପାଇଁ ଲକ୍ଡାଉନ୍କୁ ଦୃଷ୍ଟିରେ ରଖି ସାହିନବାଗରେ ପ୍ରଦର୍ଶନସ୍ଥଳକୁ ଖାଲି କରି ଦେଇଛି। ଏଠାରେ ତିନି ମାସରୁ ଅଧିକ ହେବ ସିଏଏ ଓ ଏନଆରସି ବିରୋଧରେ ପ୍ରଦର୍ଶନ ଜାରି ରହିଥିଲା। ପୋଲିସ୍ ଜେସିବି ଜରିଆରେ ସେଠାରେ ଲାଗିଥିବା ଟେଣ୍ଟକୁ ମଧ୍ୟ ଭାଙ୍ଗି ଦେଇଛି। ଏହା ପୂର୍ବରୁ ପୋଲିସର ବରିଷ୍ଠ ଅଧିକାରୀ ସାହିନବାଗରେ ପ୍ରଦର୍ଶନ କରୁଥିବା ମହିଳାଙ୍କୁ କରୋନା ବିପଦକୁ ଦୃଷ୍ଟିରେ ରଖି ଧାରଣା ସମାପ୍ତ କରିବାକୁ ଅନୁରୋଧ କରିଥିଲେ।