ମିରାଜ ୧୧।୧: ମହାରାଷ୍ଟ୍ର ସାଙ୍ଗଲୀ ଜିଲ୍ଲା ମିରାଜରେ ଥିବା ସମବାୟ ଚିନି ମିଲର ଆଞ୍ଚଳିକ କାର୍ଯ୍ୟାଳୟରେ ସୋମବାର ସକାଳେ ନିଆଁ ଲାଗିଯାଇଛି। ତେବେ ଏହା ଦୁର୍ଘଟଣା ଜନିତ ଅଗ୍ନିକାଣ୍ଡ ନୁହେଁ ବୋଲି କୁହାଯାଉଛି। ଫସଲ ବାବଦ ବକୈୟା ପୈଠ କରାଯାଉ ନଥିବାରୁ ଚାଷୀମାନେ ରାଗରେ କାର୍ଯ୍ୟାଳୟକୁ ଜାଳି ଦେଇଥିବା ସନ୍ଦେହ କରାଯାଉଛି।
ସାଙ୍ଗଲୀ ପୋଲିସ ଅଧିକ୍ଷକଙ୍କ ଅନୁସାରେ ରାଜାରାମ ବାପୁ ସମବାୟ ଚିନି ମିଲର ଆଞ୍ଚଳିକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ଫଳରେ କାର୍ଯ୍ୟାଳୟର କିଛି ଜରୁରି କାଗଜପତ୍ର ଜଳି ଯାଇଥିବା ମିଲ କର୍ତ୍ତୃପକ୍ଷ ସୂଚିତ କରିଛନ୍ତି। ତେବେ ମାମଲାରେ ଏପର୍ଯ୍ୟନ୍ତ ଲିଖିତ ଅଭିଯୋଗ ହୋଇ ନଥିବା ସେ କହିଛନ୍ତି।
ଚିନିମିଲ ପରିଚାଳନା ନିର୍ଦ୍ଦେଶକ ଆର.ଡି.ମାହୁଲି ସାବଲବାଡି କାର୍ଯ୍ୟାଳୟରେ ଏହି ଅଗ୍ନିକାଣ୍ଡ ଘଟିଥିବା କହିଛନ୍ତି। ତେବେ ଏହା ଦୁର୍ଘଟଣା ନା କେହି ଜାଣିଶୁଣି ନିଆଁ ଲଗାଇଛି ତାର ତଦନ୍ତ ହେବ । ତେବେ ଏପର୍ଯ୍ୟନ୍ତ ପୋଲିସରେ ଅଗ୍ନିକାଣ୍ଡ ନେଇ କୌଣସି ଲିଖିତ ଏତଲା ରୁଜୁ ହୋଇ ନାହିଁ। ଚିନିମିଲ ଚାଷୀଙ୍କଠାରୁ କିଣିଥିବା ଆଖୁ ବାବଦ ବକେୟା ପୈଠ କରୁ ନାହିଁ। ଏଣୁ ଚାଷୀ ଅସନ୍ତୁଷ୍ଟ ଥିବା ବେଳେ ଅଗ୍ନିକାଣ୍ଡ ଘଟିଥିବାରୁ ନାନା କଳ୍ପନାଜଳ୍ପନା କରାଯାଉଛି।