ଗ୍ୱାଲିୟର Covid ସେଣ୍ଟରରେ ଅଗ୍ନିକାଣ୍ଡ, ବିନା ପିପିଇରେ ସବୁ ରୋଗୀଙ୍କୁ ବାହାର କଲେ ୨ମହିଳା ଡାକ୍ତର

Published By : Prameya-News7 Bureau | November 21, 2020 IST

ଗ୍ୱାଲିୟର ୨୧।୧୧: ଗୋଟିଏ ପଟେ ସଂକ୍ରମଣ ଭୟ ସେପଟେ ଅଗ୍ନି ଦୁର୍ଘଟଣା, ନିଜ ଜୀବନକୁ ବାଜି ଲଗାଇଦେଲେ ଦୁଇ ମହିଳା ଡାକ୍ତର।  କୋଭିଡ କେୟାର ସେଣ୍ଟରରୁ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ବାହାର କଲେ।   ମଧ୍ୟପ୍ରଦେଶ ଗ୍ୱାଲିୟର ଜୟାରୋଗ୍ୟ କୋଭିଡ କେୟାର ସେଣ୍ଟରରେ ଶନିବାର ନିଆଁ ଲାଗିଯାଇଥିଲା। ହସ୍ପିଟାଲ ଦାୟିତ୍ୱରେ ଥିବା ଡାକ୍ତର ନୀଳିମା ଟଣ୍ଡନ ଓ ଡା.ନୀଳିମା ସିଂହ ଅଗ୍ନିକାଣ୍ଡ ସୂଚନା ପାଇବା ମାତ୍ରେ ହସ୍ପିଟାଲରେ ପହଞ୍ଚି ତୁରନ୍ତ ରୋଗୀଙ୍କୁ ଉଦ୍ଧାର କରିଥିଲେ।

ହସ୍ପିଟାଲର ଚତୁର୍ଥ ମହଲାରେ ନିଆଁ ଲାଗିଥିଲା। ଡାକ୍ତର ଦ୍ୱୟ ପହଞ୍ଚିବା ବେଳେକୁ ପରିସ୍ଥିତି ଉଗ୍ରରୂପ ନେଇ ସାରିଥିଲା। ସାରା ମହଲା ଧୂଆଁରେ ଭରି ଯାଇଥିଲା। ରୋଗୀଙ୍କ ନିକଟକୁ ଯିବା ପାଇଁ ପିପିଇ କିଟ୍ ପିନ୍ଧିବା ଅନିବାର୍ଯ୍ୟ, ତେବେ ପିନ୍ଧିବାକୁ ବେଳ ନଥିଲା। ନିଜ ଜୀବନ ବାଜି ଲଗାଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମସ୍ତ୯ ଜଣ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।

ନିଆଁ ଲାଗିବା ଯୋଗୁ ହସ୍ପିଟାଲର ଗୋଟିଏ ଭେଣ୍ଟିଲେଟର ଜଳିଯାଇଛି। ସେହିପରି ୨ ଜଣ ସଂକ୍ରମିତ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ନୀଳିମା ସିଂହ ଓ ନୀଳିମା ଟଣ୍ଡନ ଉଭୟ ହସ୍ପିଟାଲ କୋଭିଡ ସେଣ୍ଟରର ନୋଡାଲ ଅଫିସର। ରୋଗୀଙ୍କୁ ବଞ୍ଚାଇବା ଲାଗି ଉଭୟ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅଭିଯାନ ହାତକୁ ନେବା ସହ ଅନ୍ୟ ଡାକ୍ତର ଓ କର୍ମଚାରୀଙ୍କୁ ମଧ୍ୟ ସହାୟତା ଲାଗି ଡାକ ପକାଇଥିଲେ। ଫଳରେ ସମସ୍ତେ ମିସି ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି।

ଅଗ୍ନିକାଣ୍ଡରେ ହସ୍ପିଟାଲର ଜଣେ ଜୁନିୟର ଡାକ୍ତର ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ଆଇସିୟୁରେ ରଖି ଚିକିତ୍ସା କରାଯିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ୱଭାବିକ ଥିବା କୁହାଯାଇଛି। ହସ୍ପିଟାଲ କୋଭିଡ ସେଣ୍ଟରରେ ନିଆଁ ଲାଗିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଣୁ ଚିକିତ୍ସିତ ହେଉଥିବା ରୋଗୀଙ୍କ ପରିଜନ ହସ୍ପିଟାଲ ପହଞ୍ଚିବାରେ ଲାଗିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.