ପୁଅ ବାହାଘରରେ ୧୦୦୦ ଅତିଥିଙ୍କୁ ଡାକିଥିଲେ ବିଜେପିର ପୂର୍ବତନ ସାଂସଦ, ରୁଜୁ ହେଲା ମାମଲା

Published By : Prameya-News7 Bureau | February 23, 2021 IST

ମୁମ୍ବାଇ,୨୩/୦୨:  ମହାରାଷ୍ଟ୍ରର ପୂର୍ବତନ ବିଜେପି ସାଂସଦ ଧନଞ୍ଜୟ ମହାଦିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେ ପୁଣେରେ ନିଜ ପୁଅର ବିବାହ ସମୟରେ କରୋନା ନିୟମ ମାନି ନଥିବା ଓ ସମସ୍ତ କଟକଣାକୁ ଦଳି ମକଚି ଦେଇଥିବା ଅଭିଯୋଗ ହୋଇଛି । ରବିବାର ହଦପସରରେ ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମାମଲାରେ ଆଉ ୨ ଜଣଙ୍କ ନାଁରେ ମଧ୍ୟ ଏଫଆଇଆର ହୋଇଛି ।

ମହାଦିକଙ୍କ ପୁଅର ବିବାହରେ ୧ ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ସରକାର ପୁଣେରେ କୌଣସି ବିବାହ ଉତ୍ସବରେ ୨୦୦ରୁ ଅଧିକ ଅତିଥିଙ୍କୁ ଅନୁମତି ଦେଇନାହାଁନ୍ତି । ଏପରିକି ଗତ କିଛିଦିନ ତଳେ ବିଜେପି ନିଜେ ଏନସିପି ନେତାଙ୍କ ଘରେ ହୋଇଥିବା ବିବାହକୁ ନେଇ ପ୍ରଶ୍ନ କରିଥିଲା ।

ତେବେ ମହାଦିକଙ୍କ ବିବାହରେ ଏନସିପି ମୁଖ୍ୟ ଶରଦ ପାଓ୍ୱାର, ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ, ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ସାମିଲ ହୋଇଥିଲେ । ଫଡନାବୀସ ବିନା ମାସ୍କରେ ପହଁଚିଥିଲେ । ଏପରିକି ବିବାହ ଭୋଜିରେ ସଞ୍ଜୟ ରାଓ୍ୱତ ମଧ୍ୟ କରୋନା ନିୟମ ମାନି ନଥିବା ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ, ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଚେତାବନୀ ଦେଇଥିଲେ ଯେ, ଯଦି କେହି କରୋନା ନିୟମ ମାନିବେନି ତେବେ ପୁଣିଥରେ ଲକଡାଉନ୍ ଲାଗୁ କରାଯିବ । ଏପରିକି ରାଜ୍ୟରେ ସମସ୍ତ ରାଜନୈତିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.