ଯୋଗ ଗୁରୁଙ୍କ ବିରୋଧରେ ଆଉ ଏକ ମାମଲା: ଏଲୋପାଥି ଔଷଧକୁ ନେଇ ଭ୍ରମ ସୃଷ୍ଟି କରୁଥିବା ଅଭିଯୋଗରେ FIR ରୁଜ୍ଜୁ

Published By : Prameya-News7 Bureau | June 17, 2021 IST

ରାୟପୁର ୧୭/୦୬ : ଛତିଶଗଡର ରାୟପୁରରେ ଯୋଗ ଗୁରୁ ବାବା ରାମଦେବଙ୍କ ବିରୋଧରେ ଏଫ୍ଆଇଆର୍ ରୁଜ୍ଜୁ ହୋଇଛି। କରୋନା ଚିକିତ୍ସାରେ ଦିଆଯାଉଥିବା ଏଲୋପାଥିକ ଔଷଧ ବିଷୟରେ ମିଥ୍ୟା ତଥ୍ୟ ଦେଉଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗୁରୁବାର ଦିନ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଭାରତୀୟ ମେଡିକାଲ ଆସୋସିଏସନର ଛତିଶଗଡ ୟୁନିଟ୍ ବୁଧବାର ରାତିରେ ବାବା ରାମଦେବଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଛି। ରାୟପୁର ଏସଏସପି ଅଜୟ ଯାଦବ କହିଛନ୍ତି ଯେ ରାମଦେବଙ୍କ ବିରୋଧରେ ଧାରା ୧୮୮, ୨୬୯ ଏବଂ ୫୦୪ ଅନୁଯାୟୀ ମାମଲା ଦାୟର କରାଯାଇଛି। ମହାମାରୀ ପ୍ରତି ଅସାବଧାନତା, ଘୃଣା ବ୍ୟାପିବା ଉଦ୍ଦେଶ୍ୟରେ ଅପମାନ ଭଳି ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି।

କିଛି ଦିନ ପୂର୍ବରୁ ବାବା ରାମଦେବଙ୍କ ତରଫରୁ କରୋନା ଭ୍ୟାକସିନ ନେବା କଥା କୁହାଯାଇଥିଲା। ସେ ଡାକ୍ତରଙ୍କୁ ପୃଥିବୀପୃଷ୍ଠରେ ଭଗବାନଙ୍କ ସ୍ୱରୂପ ବୋଲି କହିଥିଲେ। ଏହାପରେ ଭାରତୀୟ ମେଡିକାଲ୍ ଆସୋସିଏସନ୍ ଏବଂ ଯୋଗ ଗୁରୁଙ୍କ ମଧ୍ୟରେ ବିବାଦର ଅନ୍ତ ଘଟିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଏହି FIR ଯୋଗୁଁ ପୁଣି ଥରେ ଉଭୟଙ୍କ ମଧ୍ୟରେ ଶବ୍ଦର ଯୁଦ୍ଧ ତୀବ୍ର ହୋଇପାରେ। ଏସଏସପି ଅଜୟ ଯାଦବ କହିଛନ୍ତି ଯେ ଏଫଆଇଆର ରୁଜ୍ଜୁ ହୋଇଛି ଏବଂ ମାମଲା ତଦନ୍ତ କରାଯାଉଛି। ଆଇଏମଏ ଦାଖଲ କରିଥିବା ଅଭିଯୋଗରେ କୁହାଯାଇଛି ଯେ ରାମଦେବ ମିଥ୍ୟା ତଥ୍ୟ ବିସ୍ତାର କରିଛନ୍ତି।

ଏହା ବ୍ୟତୀତ ଡାକ୍ତରୀ ଜଗତ ଦ୍ୱାରା ବ୍ୟବହୃତ ହେଉଥିବା ଔଷଧ ସମ୍ପର୍କରେ ଭୟାନକ କଥା କହିଛନ୍ତି। ଏହି ଔଷଧର ବ୍ୟବହାରକୁ ଭାରତ ସରକାର ଏବଂ ଆଇସିଏମଆର ଅନୁମୋଦନ କରିଛନ୍ତି। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ ସୋସିଆଲ ମିଡିଆରେ ତାଙ୍କର ଭିଡିଓ ଦର୍ଶାଯାଇଛି। ଅଭିଯୋଗରେ କୁହାଯାଇଛି ଯେ ସୋସିଆଲ ମିଡିଆରେ ତାଙ୍କର ଏପରି ଅନେକ ଭିଡିଓ ଅଛି ଯେଉଁଥିରେ ସେ ବିଭ୍ରାନ୍ତିକର ମତ ଦେଉଥିବାର ନଜର ଆସିଛନ୍ତି। କେବଳ ଏତିକି ନୁହେଁ, ଅଭିଯୋଗରେ କୁହାଯାଇଛି ଯେ, ଯେଉଁ ସମୟରେ କେନ୍ଦ୍ର ସରକାର, ଡାକ୍ତର, ପାରା ମେଡିକାଲ କର୍ମଚାରୀ କରୋନା ବିରୋଧରେ ଲଢେଇ କରୁଛନ୍ତି, ଲୋକଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ବାବା ରାମଦେବ ଚିକିତ୍ସା ପ୍ରକ୍ରିୟା ଓ ପ୍ରଣାଳୀକୁ ନେଇ ଭ୍ରମ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.