Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ FIR, ଟୁଇଟ‌ରରେ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗ, ବଢିପାରେ ମୁସ୍କିଲ

12/05/2020 at 5:49 PM

ଠାଣେ ୧୨।୦୫: କଂଗ୍ରେସ ପାର୍ଟି ତଥା ଏହାର ଦିବଙ୍ଗତ ନେତାଙ୍କ ଉପରେ ଆପତ୍ତିଜନକ ଟୁଇଟ୍ କରିବା ମାମଲାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ମହାରାଷ୍ଟ୍ର  ପୋଲିସ ମଙ୍ଗଳବାର ଏହି ସୂଚନା ଦେଇଛି। ଭାରତୀୟ ଯୁବ କଂଗ୍ରେସର ମହାସଚିବ ବୃଜକିଶୋର ଦତ୍ତଙ୍କ ଅଭିଯୋଗ କ୍ରମେ ସମ୍ବିତ ପାତ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି।

ସମ୍ବିତ ପାତ୍ର ଟୁଇଟ୍‌ କରି ଲେଖିଥିଲେ, ଯଦି କଂଗ୍ରେସ ଶାସନ କାଳରେ କୋଭିଡ୍-୧୯ ସମସ୍ୟା ଉତ୍ପନ ହୋଇଥାନ୍ତା ତେବେ ବଡ ପରିମାଣରେ ଅର୍ଥର ହେରଫେର ଓ ଦୁରୁପଯୋଗ ହୋଇଥାନ୍ତା। ବିଜେପି ମୁଖପାତ୍ର ନିଜର ବିବାଦୀୟ ଟୁଇଟ୍‌ରେ କହିଛନ୍ତି, ଯଦି ଏହି ମହାମାରୀ କଂଗ୍ରେସ ଶାସନକାଳରେ ଆସିଥାନ୍ତା ତେବେ ପାଞ୍ଚ ହଜାର କୋଟି ଟଙ୍କାର ମାସ୍କ ଉପରେ, ସାତ ହଜାର  କୋଟି ଟଙ୍କାର କରୋନା ଯାଞ୍ଚ କିଟ୍‌ ଉପରେ, ୨୦ ହଜାର କୋଟି ଟଙ୍କାର ସାନିଟାଇଜର ଏବଂ ୨୬ ହଜାର କୋଟି ଟଙ୍କା ରାଜୀବ ଗାନ୍ଧୀ ଭାଇରସ୍‌ ଅନୁସନ୍ଧାନ ଉପରେ ଖର୍ଚ୍ଚ କରାଯାଇଥାନ୍ତା।

ଯୁବ କଂଗ୍ରେସ ମହାସଚିବ ନିଜର ଅଭିଯୋଗରେ ଉଲ୍ଲେଖ କରିଛନ୍ତି, ଏହା ବ୍ୟତୀତ ସମ୍ବିତ ପାତ୍ର ପଣ୍ଡିତ ଜବାହରଲାଲ ନେହେରୁ ଓ ରାଜୀବ ଗାନ୍ଧୀଙ୍କ ଫଟୋ ଉପଯୋଗ କରି ପାର୍ଟିତ ବରିଷ୍ଠ ନେତାଙ୍କ ସମ୍ମାନହାନୀ କରିଛନ୍ତି। ପୋଲିସ ମୁଖପାତ୍ର ସୁଖଦା ନାରକର କହିଛନ୍ତି ପାତ୍ରଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା(IPC)ର ଧାରା ୫୦୦ ଆଧାରରେ କଲ୍ୟାଣ ପୋଲିସ୍ ଷ୍ଟେସନ୍‌ରେ ମାମଲା ରୁଜୁ କରାଯାଇଛି।

ଅନ୍ୟପଟେ ପାତ୍ରଙ୍କ ବିରୋଧରେ ଏନଏସୟୁଆଇ ଓ ୟୁଥ୍ କଂଗ୍ରେସ ମଧ୍ୟ ଛତିଶଗଡର ରାୟପୁର କୋତବାଲି ଥାନାରେ ଏତଲା ଦାୟର କରାଇଛନ୍ତି। ସମ୍ବିତ ପାତ୍ରଙ୍କ ବିରୋଧରେ ବିଭିନ୍ନ ସମୂହ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ଅଭିଯୋଗରେ ଏତଲା ଦିଆଯାଇଛି। ପାତ୍ରଙ୍କ ଉପରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ରାଜୀବ ଗାନ୍ଧୀ, ସ୍ଵର୍ଗତ ଜବାହରଲାଲା ନେହେରୁ ଏବଂ କଂଗ୍ରେସ ପାର୍ଟି ବିରୋଧରେ ଟୁଇଟ୍‌ରେ ଅପମାନଜନକ ଏବଂ ଅଭଦ୍ର ଟିପ୍ପଣୀ କରିବାର ଅଭିଯୋଗ ହୋଇଛି। ଏନଏସୟୁଆଇର ରାଜ୍ୟ ସଭାପତି ଆକାଶ ଶର୍ମା ଓ ୟୁଥ୍ କଂଗ୍ରେସର ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ଅଭିଯୋଗ କ୍ରମେ ରାୟପୁର ପୋଲିସ ଆଇଟି ଆକ୍ଟ ଓ ଆଇପିସିର ଧାରା ଅନୁଯାୟୀ ଏଫଆଇଆର ରୁଜୁ କରିଛନ୍ତି।

   Related Posts