ନକଲି ଶିକ୍ଷକଙ୍କ ହାତରେ ପିଲାଙ୍କର ଭବିଷ୍ୟତ ! ଜାଲ୍ ସାର୍ଟିଫିକେଟ୍ ଦେଇ ୨ ଶିକ୍ଷକଙ୍କ ନାଁରେ ଏତଲା

Published By : Prameya-News7 Bureau | September 06, 2021 IST

ଆଠମଲ୍ଲିକ ୫।୯: ଆଠମଲ୍ଲିକ ଶିକ୍ଷା ମଣ୍ଡଳରେ ଦୀର୍ଘଦିନରୁ ଅନେକ ଶିକ୍ଷକ ଜାଲ୍ ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରୁଥିବାର ଅଭିଯୋଗ ବିଭିନ୍ନ ସମୟରେ ଆସୁଥିଲା ।  ଏନେଇ ଗତ ଜାନୁଆରୀ ମାସରେ ଜିଲ୍ଲାର ସମସ୍ତ ଶିକ୍ଷକମାନେ ଦେଇଥିବା ବିଇଡି ସାର୍ଟିଫିକେଟ୍ ଓ ଅନ୍ୟ ସାର୍ଟିଫିକେଟ୍ ର ଯାଞ୍ଚ ପ୍ରକ୍ରିୟା ସରିଛି । ତେବେ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ନେଇ ଦୁଇ ଜଣ ଶିକ୍ଷକଙ୍କର ନାଁରେ ଆଠମଲ୍ଲିକ ଓ କିଶୋରନଗର ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି । ସେଥିମଧ୍ୟରୁ ଜଣେ ଗିରଫ ହୋଇଛନ୍ତି ।  ଆଉ ଜଣେ ହେଲେ କିଶୋରନଗର ଥାନା ଅନ୍ତର୍ଗତ ହିଞ୍ଜରିଡା ୟୁପି ସ୍କୁଲର ସୁଧୀର କୁମାର ବେହେରା । ତାଙ୍କ ନାଁରେ ଏତଲା ଦାୟର ହୋଇଥିଲେ ବି ସେ ଫେରିଥିବା ସୂଚନା ମିଳିଛି ।

ଏ ନେଇ ଆଠମଲ୍ଲିକ ବ୍ଲକ୍ ଶିକ୍ଷା ଅଧିକାରୀ ଦାଶରଥୀ ଶୁଣ୍ଢି କହିଛନ୍ତି ଯେ, ବିଭାଗର ଚିଠି ଅନୁସାରେ ଏହି ଆଠମଲ୍ଲିକ ପ୍ରାଥମିକ ଶିକ୍ଷା ବିଭାଗରେ ଗତ ୨୦୧୯ ମସିହାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ କରାଯାଇଥିବା । ବିଶେଷ କରି ବାହାର ରାଜ୍ୟର ବିଶ୍ବବିଦ୍ୟାଳୟରୁ ବିଇଡି ପ୍ରମାଣପତ୍ର ଦାଖଲ କରାଯାଇଥିବା ସନ୍ଦେହ କରାଯାଉଥିଲା । ତେବେ ତାଲିକା ଦାଖଲ ପରେ ଗତ ୨୧-୦୮-୨୦୨୧ ରେ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଚିଠି ଅନୁସାରେ ଜନୈକ ଶିକ୍ଷକ ସୁମନ୍ତ କୁମାର ପ୍ରଧାନ ଦାଖଲ କରିଥିବା ବିଇଡି ପ୍ରମାଣପତ୍ର ଜାଲ ବୋଲି ଜଣାପଡିଛି । ଉକ୍ତ ଜାଲ ପ୍ରମାଣପତ୍ରରୁ ଜଣାଯାଇଛି ଯେ, ସୁମନ୍ତ କୁମାର ପ୍ରଧାନ ରାଉଲକେଲା ସ୍ଥିତ ନବଭାରତ ଶିକ୍ଷା ପରିଷଦ ଓଡିଶା ନାମକ ଏକ ଅନୁଷ୍ଠାନରୁ ୨୦୦୫ ମସିହାରେ ୨ୟ ଶ୍ରେଣୀରେ ପାସ୍ କରିଥିବା ଦର୍ଶାଯାଇଛି । ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ ନୀଳକଣ୍ଠପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରି ଆସୁଥିବା ଏହି ଯୁବକ ଗତ ୧୧-୧୧-୨୦୧୧ ମସିହାରେ ଶିକ୍ଷା ସହାୟକ ଭାବରେ ଯୋଗ ଦେବା ପରେ ୧୧-୧୧-୨୦୧୭ ମସିହାରେ ନିୟମିତ ଶିକ୍ଷକ ଭାବରେ ସ୍ବିକୃତୀ ପାଇ ଶିକ୍ଷାଦାନ କରିଆସୁଥିଲେ । ହିଞ୍ଜରିଡା ୟୁପି ସ୍କୁଲର ସୁଧୀର କୁମାର ବେହେରା  ମଧ୍ୟ ରାଉଲକେଲା ସ୍ଥିତ ନବଭାରତ ଶିକ୍ଷା ପରିଷଦ ଓଡିଶାରୁ ବିଇଡି ପ୍ରମାଣପତ୍ର ଦାଖଲ କରାଯାଇଥିବାରୁ ସନ୍ଦେହ କରାଯାଇଥିଲା ଓ ତାଙ୍କର ନାଁରେ ଏତଲା ଦାୟର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.