କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ନାଁରେ ଏତଲା, ହିଂସାକୁ ଉସୁକାଇବା ଭଳି ଦେଇଥିଲେ ମନ୍ତବ୍ୟ

Published By : Prameya-News7 Bureau | December 27, 2019 IST

ନବରଙ୍ଗପୁର ୨୭।୧୨: କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ନାଁରେ ଏତଲା ଦାୟର ହୋଇଛି । ନିଜ ଆଡୁ ଏତଲା ଦାୟର କରିଛି ନବରଙ୍ଗପୁର ପୋଲିସ । ହିଂସାକୁ ଉସୁକାଇବା ନେଇ ଏତଲା ଦାୟର ହୋଇଥିବା ଜଣାପଡିଛି । ପ୍ରଦୀପ ମାଝିଙ୍କ ସମେତ ୧୫ ଜଣଙ୍କ ନାଁରେ ଏତଲା ଦାୟର ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ଗତକାଲି ନବରଙ୍ଗପୁର ଜିଲ୍ଲାରେ ବନ୍ଦ ପାଳନ କରାଯାଇଥିଲା । ସଂପୃକ୍ତ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବି ସହ ଘଟଣାରେ ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ପୂର୍ବତନ ସାଂସଦ ତଥା ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଜିଲ୍ଲା କଂଗ୍ରେସ ତରଫରୁ ବନ୍ଦ ପାଳନ କରାଯାଇଥିଲା ।

ବନ୍ଦ ପାଳନ ସମୟରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ତେବେ ଏହି ହିଂସାକାଣ୍ଡ ପାଇଁ କଂଗ୍ରେସ ନେତା ପ୍ରଦୀପ ମାଝି ଦାୟୀ ବୋଲି ଅଭିଯୋଗ ହୋଇଥିଲା । କଂଗ୍ରେସ ନେତାଙ୍କ ଭିଡିଓ ଭାଇରାଲ୍ ହୋଇଥିଲା। କାରଣ ପ୍ରଦୀପ ମାଝୀ ଜଣେ ସମର୍ଥକଙ୍କୁ ଡିଜେଲ ପେଟ୍ରୋଲ ରଖିଥାଅ ନିର୍ଦ୍ଦେଶ ଯିବା ମାତ୍ରେ ନିଆଁ ଲଗାଇଦେବ । ଯାହା ହେବ ଦେଖାଯିବ । ଫୋନ୍ ରେ ଏଭଳି କହି କର୍ମୀଙ୍କୁ ପ୍ରଦୀପ ମାଝି ଉସୁକାଉଥିବା ଅଭିଯୋଗ ହୋଇଥିଲା । ଯାହାର ଭିଡିଓ ଭାଇରାଲ୍ ହୋଇଥିଲା ।

ତେବେ ଏହି ଘଟଣା ପରେ ପ୍ରଦୀପ ମାଝିଙ୍କୁ ସମାଲୋଚନା କରିଛି ବିଜେପି । କଂଗ୍ରେସ ନେତାଙ୍କ ଆଭିମୁଖ୍ୟ କଣ ତାହା ଧରା ପଡିଯାଇଛି ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି । CAA ପାଇଁ ଦେଶରେ ଯେଉଁ ନିଆଁ ଜଳୁଛି ତା ପଛରେ କଂଗ୍ରେସ ରହିଛି । କାଲି ନବରଙ୍ଗପୁର ବନ୍ଦ ବେଳେ ବିବାଦୀୟ କଥା କହିଥିଲେ । ଡିଜେଲ୍, ପେଟ୍ରୋଲ ରେଡି ରଖିବାକୁ କହିଥିଲେ ପ୍ରଦୀପ ମାଝି । ନିର୍ଦ୍ଦେଶ ଗଲେ ଜାଳି ଦେବ ବୋଲି କର୍ମୀଙ୍କୁ ଉସକାଇଥିଲେ ।

ଅନ୍ୟପଟେ କଂଗ୍ରେସ କହିଛି ପ୍ରଶାସନ ଯେଭଳି ସ୍ଥାଣୁ ପାଲଟିଛି ସେଥିପାଇଁ ସମସ୍ତଙ୍କ ମନରେ କ୍ଷୋଭ ପ୍ରକାଶ ପାଉଛି । ଜଣେ ଦୁଷ୍କର୍ମ ପୀଡିତାଙ୍କୁ ହତ୍ୟା କରିବା ଘଟଣାର ତଦନ୍ତ କରୁନାହିଁ ପୋଲିସ । ଆମକୁ ବିଜେପି ଉପଦେଶ ଦେବା ଦରକାର ନାହିଁ । ସାରା ଦେଶରେ କଣ ଚାଲିଛି ତାହା ସମସ୍ତେ ଦେଖୁଛନ୍ତି ବୋଲି କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.