ଏକତା କପୁରଙ୍କ ବିରୋଧରେ ମାମଲା ରୁଜୁ : ଅଶ୍ଳୀଳତା ସୃଷ୍ଟି କରିବା ଏବଂ ଜାତୀୟ ପ୍ରତୀକକୁ ଅପମାନ କରିବାର ହୋଇଛି ଅଭିଯୋଗ

Published By : Prameya-News7 Bureau | June 06, 2020 IST

ମୁମ୍ବାଇ ୬/୬: ପ୍ରସିଦ୍ଧ ନିର୍ମାତା ଏକତା କପୁରଙ୍କୁ ଓଟିଟି ପ୍ଲାଟଫର୍ମ ଅଲ୍ଟ ବାଲାଜୀରେ ଏକ ଓ୍ବେବ୍ ସିରିଜ ପ୍ରସାରଣ ଜରିଆରେ ଅଶ୍ଳୀଳତା ସୃଷ୍ଟି କରିବା ପାଇଁ,ଧାର୍ମିକ ଭାବନାକୁ କୁଠାରଘାତ କରିବା ପାଇଁ ଏବଂ ଜାତୀୟ ପ୍ରତୀକ ଚିହ୍ନକୁ ଅପମାନ କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଅନ୍ୟ ୩ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ଏହି ଓ୍ବେବ୍ ସିରିଜର ନିର୍ଦେଶକ ଏବଂ ପଟକଥାକାର ମଧ୍ୟ ସାମିଲ ଅଛନ୍ତି। ଏହି ମାମଲା ସ୍ଥାନୀୟ ବାସିନ୍ଦା ବାଲ୍ମିକ ସକରଗାୟେ ଏବଂ ନୀରଜ ୟାଗ୍ନିକଙ୍କ ଅଭିଯୋଗ ଆଧାରରେ ଆଇପିସିର ଧାରା ୨୯୪ ଏବଂ ୨୯୮ ସହ ସୂଚନା ପ୍ରାଦ୍ୟୋଗିକ ଅଧିନିୟମ ଏବଂ ଭାରତର ରାଜକୀୟ ପ୍ରତୀକ ଅଧିନିୟମର ସମ୍ବନ୍ଧ ବ୍ୟବସ୍ଥା ଅନୁସାରେ ଶୁକ୍ରବାର ରୁଜୁ କରାଯାଇଛି।

ଅଭିଯୋଗ ରହିଛି ଯେ ଏକତା କପୁରଙ୍କ ଓଟିଟି ପ୍ଲାଟଫର୍ମ ଅଲ୍ଟ ବାଲାଜୀ​ରେ ପ୍ରସାରିତ ଓ୍ବେବ ସିରିଜ ‘ଟ୍ରିପଲ୍ ଏକ୍ସ’ର ସିଜନ୍-୨ ଜରିଆରେ ସମାଜ​‌ରେ ଅଶ୍ଳୀଳତା ସୃଷ୍ଟି କରାଯାଇଛି ଏବଂ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କ ଧାର୍ମିକ ଭାବନାକୁ ଅପମାନ କରାଯାଇଛି।

ଏହା ବ୍ୟତୀତ ଏହି ଓ୍ବେବ ସିରିଜର ଏକ ଦୃଶ୍ୟରେ ଭାରତୀୟ ସେନାଙ୍କ ପୋଷାକକୁ ଅତ୍ୟନ୍ତ ଆପତ୍ତିଜନକ ଭାବେ ଦର୍ଶା ଯାଇ ଜାତୀୟ ପ୍ରତୀକକୁ ଅପମାନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.