ନୀଳଗିରି ରଥଯାତ୍ରା ନେଇ ବଢିଲା ଆଶା, ସୁପ୍ରିମକୋର୍ଟରେ ମାମଲା ରୁଜୁ କଲେ ବରିଷ୍ଠ ଆଇନଜୀବୀ

Published By : Prameya-News7 Bureau | July 03, 2021 IST

ନୀଳଗିରି,୩/୭: କୋଭିଡ କଟକଣା ପାଇଁ ଚଳିତ ବର୍ଷ ରଥଯାତ୍ରା ପୁରୀ ଛଡ଼ା ଆଉ କେହି ସ୍ଥାନରେ ହେବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ନିଷ୍ପତ୍ତି ପୂର୍ବରୁ ନୀଳଗିରି ରେ ରଥନିର୍ମାଣକୁ ନେଇ ବହୁ ତମ୍ବିତୋଫାନ ଉଠିଥିଲା । ପରେ ପ୍ରଶାସନର ଅଚାନକ ଚଢ଼ାଉ ଆଉ ମହାରଣାଙ୍କୁ ଗିରଫ କରିବା ପରେ ଧାର୍ମିକ ଭାବନା ପ୍ରତି କୁଠାରଘାତ ବୋଲି ଅଭିଯୋଗ ହୋଇଥିଲା ।

ପରେ ସରକାରଙ୍କ ନିଷ୍ପତ୍ତି ଓ ହାଇକୋର୍ଟଙ୍କ ନିର୍ଦେଶ ପରେ ରଥଯାତ୍ରା ଆଶା ମଉଳି ଯାଇଥିଲା । ହେଲେ ଭକ୍ତ, ଧାର୍ମିକ ଭାବାବେଗ ଓ ନୀଳଗିରିବାସୀ ଙ୍କ ଐତିହ୍ୟକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଡ଼ଃ ସୁଶାନ୍ତ କୁମାର କାନୁନଗୋ ଏକ ମାମଲା ରୁଜୁ କରିଛନ୍ତି । ଫଳରେ ପୁଣି ଥରେ ରଥଯାତ୍ରା ହେବା ନେଇ ଆଶା ସଂଚାର ହୋଇଛି । ନୀଳଗିରି ଜଗନ୍ନାଥ ପ୍ରେମୀ ମାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀଙ୍କର ଏଭଳି ନିଆରା ପ୍ରୟାସକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।

ବାଲେଶ୍ଵର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରଥଯାତ୍ରା ପାଇଁ ପ୍ରସିଦ୍ଧ । ପୁରୀ ରୀତିନୀତିରେ ପୁଜାର୍ଚନା ହେଉଥିବା ବେଳେ ରଥଯାତ୍ରା ଏଠାରେ ତିନିଦିନ ଧରି ଅନୁଷ୍ଠିତ ହୋଇଥାଏ । ଗତବର୍ଷ କୋଭିଡ କଟକଣା ପାଇଁ ରଥ ତିଆରି ହୋଇଥିଲେ ମଧ୍ୟ ରଥଯାତ୍ରା ପାଇଁ ସରକାର ଅନୁମତି ପ୍ରଦାନ କରିନଥିଲେ । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ପ୍ରାୟଶ୍ଚିତ ସ୍ୱରୂପ ମନ୍ଦିର ବେଢାରେ ରଥଯାତ୍ରାର ରୀତିପୂଜା ହୋଇଥିଲା ।

ଚଳିତବର୍ଷ ସେହିଭଳି ଅନିଶ୍ଚିତତା ମଧ୍ୟରେ ରଥଯାତ୍ରା ଥିବା ବେଳେ ରଥ ନିର୍ମାଣକୁ ନେଇ ତମ୍ବିତୋଫାନ ଉଠିଥିଲା । ବିଧାୟକଙ୍କ ଚିଠିରେ ରଥଯାତ୍ରା ନହେଲେ ରଥନିର୍ମାଣକୁ ନେଇ ପ୍ରଶାସନ ସ୍ପଷ୍ଟ ନିର୍ଦେଶ ଦେଉ ବୋଲି ଉଲ୍ଲେଖକୁ ନେଇ ବିରୋଧ ମଧ୍ୟ କରାଯାଇଥିଲା । ଏପରିକି ରଥ ନିର୍ମାଣ ଚାଲିଥିବା ବେଳେ କୋଭିଡ ନିୟମ ଉଲ୍ଲଂଘନ ନେଇ ମହାରଣା ଗିରଫ ହେବା ପରେ ଘଟଣାକୁ ନେଇ ମନ୍ଦିର ପୂଜକ, ସେବକ ଓ ଠାକୁର ମାହାଲ ହେରିଟାରୀ ଟ୍ରଷ୍ଟି ରାଣୀ ଘଟଣାକୁ ନିନ୍ଦା କରିଥିଲେ ।

ଏହାସହ ସରକାର ରଥଯାତ୍ରାର ପୁନଃ ବିଚାର କରନ୍ତୁ ବୋଲି ଦାବି କରିଥିଲେ । ପରେ ହାଇକୋର୍ଟ ପୁରୀ ଛଡା ଅନ୍ୟ କେଉଁ ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦେଶ ଦେବାପରେ ରଥଯାତ୍ରା ଆଶା ମଉଳି ଯିବା ସହ ଭକ୍ତଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.