Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉତ୍ତେଜକ ଭାଷଣ ଲାଗି ସରଜିଲ ଇମାମ ବିରୋଧରେ ରୁଜୁ ହେଲା ମାମଲା

ଅଲିଗଡ ୨୫।୧: ସରଜିଲ ଇମାମଙ୍କ ଭିଡିଓକୁ ନେଇ ବିବାଦ ଜାରି ରହିଛି। ଉତ୍ତେଜକ ଭାଷଣ ଲାଗି ଇମାମ ବିରୋଧରେ ଉତ୍ତରପ୍ରଦେଶ ଅଲିଗଡରେ ଗୋଟିଏ ଏତଲା ରୁଜୁ ହୋଇଥିବା ବେଳେ ଅନ୍ୟଟି ଆସାମରେ ଦାୟର ହୋଇଛି।  ଅଲିଗଡ ଏସଏସପି ଆକାଶ କୁଲ୍‌ହାରୀଙ୍କ ଅନୁସାରେ ସରଜିଲ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪ଏ, ୧୫୩ଏ, ୧୫୩ବି ଓ ୫୦୫(୨) ଧାରାରେ ମୋକଦ୍ଦମା ରୁଜୁ ହୋଇଛି।

ସେପଟେ ଆସାମ ଏଡିଜିପି(ଆଇନଶୃଙ୍ଖଳା) ଜି.ପି.ସିଂହ ସରଜିଲ ବିରୋଧରେ ମାମଲା ରୁଜୁ ହୋଇଥିବା କହିଛନ୍ତି। ସରଜିଲ ଶାହିନ ବାଗ୍‌ର ମୁଖ୍ୟ ଆୟୋଜକ ହୋଇଥିବା ବେଳେ  ଇମାମ ବିରୋଧରେ ମୋକଦ୍ଦମା ରୁଜୁ ହୋଇଥିବା ଆସାମ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ହେମନ୍ତ ବିଶ୍ୱାଶର୍ମା କହିଛନ୍ତି। ଇମାମ ବିରୋଧରେ ଦେଶଦ୍ରୋହ ଧାରାରେ ମୋକଦ୍ଦମା ଦାୟର ହୋଇଥିବା ହେମନ୍ତ କହିଛନ୍ତି।

ଅଲିଗଡ ପୋଲିସ ଅନୁସାରେ ଗତ ଜାନୁୟାରୀ ୧୬ ତାରିଖ ଦିନ ଅଲିଗଡ ମୁସ୍ଲିମ ବିଶ୍ୱବିଦ୍ୟାଳୟରେ ଇମାମ ଉତ୍ତେଜକ ଭାଷଣ ଦେଇଥିଲା। ଏ ନେଇ ତା ବିରୋଧରେ ଏତଲା ରୁଜୁ ଲାଗି ହିନ୍ଦୁ ସଙ୍ଗଠନମାନେ ସିଭିଲ ଲାଇନ ଥାନାରେ ଅଭିଯୋଗ କରିଥିଲେ। ସାରା ଦେଶରେ ଏବେ ସିଏଏକୁ ନେଇ ବିରୋଧ ଚାଲିଥିବା ବେଳେ ଏକ ଭିଡିଓ ସାମ୍ନାକୁ ଆସିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏହି ଭିଡିଓକୁ ସେୟାର କରି ଏହା ଦେଶ ବିରୋଧୀ ନୁହେଁତ ଆଉ କ’ଣ ବୋଲି ପ୍ରଶ୍ନ କରିଛନ୍ତି।

ଏହା ଶାହିନ ବାଗର ବାସ୍ତବତା ବୋଲି ସମ୍ବିତ ଉଲ୍ଲେଖ କରିଥିବା ବେଳେ ଏଥିରେ ଇମାମ ଆସାମକୁ ଭାରତରୁ କାଟି ପୃଥକ କରିବା ଚିକେନ ନେକ୍ ମୁସ୍ଲିମଙ୍କ ଦାୟିତ୍ୱବୋଲି କହିଛନ୍ତି। ଏହି ଭିଡିଓ ସେୟାର କରିବାର ତୁରନ୍ତ ପରେ ସମ୍ବିତପାତ୍ର ଏକ ସାମ୍ବାଦିକ ସମ୍ମିଳନୀ ଡାକି ଶହିନ ବାଗରେ ଚାଲିଥିବା କାଣ୍ଡକୁ ବିରୋଧ କରିଥିଲେ। ଏଥିରୁ ଏବେ ଶାହିନ ବାଗକୁ ତୋହିନ ବାଗ୍ କୁହାଯାଇପାରେ ବୋଲି ସମ୍ବିତ କହିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏଠାରେ ଦେଶର ସ୍ୱାଧୀନତାକୁ ଅନ୍ତ କରିବା ଲାଗି କିଛି ଲୋକ ଷଡଯନ୍ତ୍ର କରୁଥିବା ସମ୍ବିତ ଅଭିଯୋଗ କରିଥିଲେ।  

   Related Posts