ଯୌନ ନିର୍ଯାତନା ମାମଲା: ଉତ୍ତରାଖଣ୍ଡ ବିଜେପି ବିଧାୟକ ଓ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ
6/09/2020 at 10:23 PM

ଡେରାଡୁନ୍ ୦୬/୦୯: ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ନିର୍ଦେଶ ପରେ ଯୌନ ନିର୍ଯାତନା ମାମଲାକୁ ନେଇ ବିଜେପି ବିଧାୟକ ମହେଶ ନେଗି ଓ ପତ୍ନୀ ରୀତା ନେଗିଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ନେହେରୁ ପୋଲିସ ଷ୍ଟେସନରେ ମହେଶ ନେଗିଙ୍କ ବିରୋଧରେ ଯୌନ ଶୋଷଣ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୋଗକାରୀଙ୍କୁ ଧମକ ଦେବା ଓ ମାମଲା ରଫାଦଫା କରିବାକୁ ଚେଷ୍ଟା କରିବାକୁ ନେଇ ରୀତା ନେଗିଙ୍କ ଉପରେ ମଧ୍ୟ ମାମଲା ହୋଇଥିବା ଜଣାପଡ଼ିଛି ।
୪ ସେପ୍ଟେମ୍ବରରେ ଅଭିଯୋଗକାରିଣୀଙ୍କ ଗିରଫ ସ୍ଥଗିତ କରିବା ସହ ସେ ଆବେଦନ କରିଥିବା ରିଟ୍ ପିଟିସନ ଉପରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ ହାଇକୋର୍ଟ । ବିଧାୟକଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ଡେରାଡୁନ୍ ପୋଲିସ ଅଭିଯୋଗକାରିଣୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ସ୍ବାମୀଙ୍କ ନାଁରେ ମିଥ୍ୟା ଯୌନ ନିର୍ଯାତନା ମାମଲା ରୁଜୁ କରି ୫ କୋଟି ଟଙ୍କା ଦାବି କରୁଥିବା ନେଇ ବିଧାୟକଙ୍କ ପତ୍ନୀ ଅଭିଯୋଗ କରିଥିଲେ।
ଅନ୍ୟପଟେ ଅଭିଯୋଗକାରିଣୀ ବିଧାୟକ ଦୁଇ ବର୍ଷ ହେଲା ତାଙ୍କୁ ଯୌନ ନିର୍ଯାତନା ଦେଉଥିବା ନେଇ ସେହିଦିନ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାସହ ଡିଏନଏ ଟେଷ୍ଟ ପାଇଁ ମଧ୍ୟ ଦାବି କରିଥିଲେ । ୧୬ ଅଗଷ୍ଟରେ ମହିଳା ଜଣଙ୍କ ଥାନାରେ କାଉଣ୍ଟର କେସ୍ କରିଥିଲେ । ଏଥିରେ ବିଧାୟକ ତାଙ୍କୁ ଯୌନ ନିର୍ଯାତନା ଦେବା ସହ ତାଙ୍କ ଛୁଆର ବାପା ବୋଲି ଦର୍ଶାଇଥିଲେ ମହିଳା ।