ଓ୍ବେବ୍ ସିରିଜ ‘ଏ ସୁଇଟେବଲ୍ ବୟ’ରେ ମନ୍ଦିରରେ କିସିଂ ସିନକୁ ନେଇ ବିବାଦ : ମଧ୍ୟପ୍ରଦେଶରେ ମାମଲା ରୁଜୁ
24/11/2020 at 12:21 PM

ମୁମ୍ବାଇ ୨୪/୧୧: ବଲିଉଡ ଅଭିନେତା ଈଶାନ ଖଟ୍ଟର ଏବଂ ଅଭିନେତ୍ରୀ ତବ୍ବୁଙ୍କ ଓ୍ବେବ୍ ସିରିଜ ‘ଏ ସୁଇଟେବଲ୍ ବୟ’ ଏବେ ଚର୍ଚ୍ଚାରେ ରହିଛି। ନେଟଫ୍ଲିକ୍ସରେ ଅକ୍ଟୋବର ୨୩ତାରିଖରେ ରିଲିଜ ହୋଇଥିବା ଏହି ସିରିଜର ସିନକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ରିଲିଜର ପାଖାପାଖି ୧ମାସ ପରେ ସିରିଜର ଏହି ସିନକୁ ନେଇ କେବଳ ସୋସିଆଲ ମିଡିଆରେ ହଇଚଇ ହେଉନାହିଁ ବରଂ ମନ୍ତ୍ରୀମଣ୍ଡଳରେ ମଧ୍ୟ ଗରମ ମାହୋଲ ସୃଷ୍ଟି ହୋଇଛି।
ଏ ସମସ୍ତ ବିବାଦ ଏଥିରେ ଦର୍ଶାଯାଇଥିବା ତାନ୍ୟା ମାଣିକତଳା ଏବଂ ଦାନିଶ ରଜଭିଙ୍କ ମଧ୍ୟରେ ହୋଇଥିବା କିସିଂ ସିନକୁ ନେଇ ହୋଇଛି । ଦୁହେଁ ମନ୍ଦିରରେ ପରସ୍ପରକୁ କିସ୍ କରୁଛନ୍ତି। ଏହି ସିନର ବ୍ୟାକଗ୍ରାଉଣ୍ଡରେ ଭଜନ ଶୁଣାଯାଉଛି,ଯାହା ପରେ ଟ୍ବିଟରରେ ଏହି ଫିଲ୍ମକୁ ନେଇ ଦର୍ଶକେ ଉତ୍ତେଜିତ ହୋଇଥିଲେ। ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ଏହି ଓ୍ବେବ୍ ସିରିଜ ଏବେ ହଇଚଇ ସୃଷ୍ଟି କରିଛି। ନେଟଫ୍ଲିକ୍ସକୁ ବ୍ୟାନ୍ କରିବା ପାଇଁ ମଧ୍ୟ ଦାବି ତେଜ ଧରିଛି।
‘ଏ ସୁଇଟେବଲ୍ ବୟ’ରେ ଆପତ୍ତିଜନକ ଦୃଶ୍ୟକୁ ନେଇ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସର ୨ଜଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହା ସହିତ ମଧ୍ୟପ୍ରଦେଶର ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ରା ଗୃହ ଏବଂ ଆଇନ୍ ବିଭାଗର ବୈଠକ ଡାକିଛନ୍ତି। ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି ଯେ ନେଟଫ୍ଲିକ୍ସ ଓଭର ଦ ଟପ୍ ଓଟିଟି ମିଡିଆ ପ୍ଲାଟଫର୍ମ ଯେଉଁଥିରେ ଆସିଥିବା ଏକ କାର୍ଯ୍ୟକ୍ରମ ‘ଏ ସୁଇଟେବଲ୍ ବୟ’ରେ ଅତ୍ୟନ୍ତ ଆପତ୍ତିଜନକ ଦୃଶ୍ୟ ରଖାଯାଇଛି ଯାହା ଧର୍ମକୁ କୁଠାରଘାତ କରିଛି। ସେ ପୋଲିସ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଏବିଷୟର ପରୀକ୍ଷଣ କରାଯାଉ ଯେ ଏହି ଦୃଶ୍ୟ ଆଧାରରେ ନେଟଫ୍ଲିକ୍ସ ଓଟିଟି ପ୍ଲାଟଫର୍ମ ଏବଂ କାର୍ଯ୍ୟକ୍ରମର ନିର୍ମାତା ଏବଂ ନିର୍ଦେଶକଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ କରାଯାଇପାରିବ।
