କଂଗ୍ରେସ ସାଂସଦ ଶଶି ଥରୁରଙ୍କ ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

Published By : Prameya-News7 Bureau | January 30, 2021 IST

ନୂଆଦିଲ୍ଳୀ ୩୦/୦୧: କଂଗ୍ରେସ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁରଙ୍କ ନାଁରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି। ଶଶି ଥରୁରଙ୍କ ସମେତ ବରିଷ୍ଠ ସାମ୍ବାଦିକଙ୍କ ବିରୋଧରେ ଆଇପି ଏଷ୍ଟେଟ୍‌ ଥାନାରେ ମାମଲା ରୁଜୁ ହୋଇଛି। ସାଧାରଣତନ୍ତ୍ର ଦିବସରେ ହୋଇଥିବା ଟ୍ରାକ୍ଟର ରାଲିରେ ଜଣେ ଚାଳକଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଭୁଲ ତଥ୍ୟ ପୋଷ୍ଟ କରିଥିବା ନେଇ ଶଶି ଥରୁରଙ୍କ ନାଁରେ  ଅଭିଯୋଗ ହୋଇଛି। ମୃତ୍ୟୁକୁ ନେଇ ଭୁଲ ତଥା ବିଭ୍ରାନ୍ତିକର ତଥ୍ୟ ଦେଇ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହିଂସା ସୃଷ୍ଟି କରିବାକୁ ଥରୁର ଚେଷ୍ଟା କରିଥିବା ମଧ୍ୟ ଅଭିଯୋଗ ହୋଇଛି।  

ଅନ୍ୟପଟେ କେନ୍ଦ୍ର ସରକାର, ସିଙ୍ଘୁ, ଗାଜିପୁର ଏବଂ ଟିକରି ବର୍ଡରରେ ଇଣ୍ଟରନେଟ୍‌ ସେବା ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ସବୁ ସ୍ଥାନରେ ଜାନୁଆରୀ ୩୧ ରାତି ୧୧ ଯାଏ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ନିକଟ ୟୁପିର ଗାଜିଆବାଦରେ କୃଷକ ଆନ୍ଦୋଳନକୁ ନେଇ ପ୍ରଶାସନ ଆଲର୍ଟ ରହିଛି।

ଏହା ସହ କୃଷକ ଆନ୍ଦୋଳନ ସମାପ୍ତ କରିବା ପଛରେ ବିଜେପିର ହାତ ଥିବା କହିଛନ୍ତି ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ। ଲାଲକିଲ୍ଲାରେ ହଙ୍ଗାମା ପାଖରୁ ସିଙ୍ଘୁ ବର୍ଡରରେ କୃଷକଙ୍କ ଉପରେ ଆକ୍ରମଣ ପଛରେ ବିଜେପି କର୍ମୀ ସାମିଲ ଥିଲେ। ଅନ୍ନଦାତାଙ୍କ ଉପରେ ବିଜେପି ଆକ୍ରମଣ କରୁଛି। ଲାଲକିଲ୍ଲାକୁ ଅପମାନ କରିଥିବା ଲୋକ ବିଜେପି କର୍ମୀ ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ବିଜେପି ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଦରକାର ବୋଲି ସଞ୍ଜୟ ସିଂହ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.