Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ବାହାସ୍ଫୋଟ ମାରି ବାବା ବାଉଳା, ପୋଲିସ୍ ଭୟରେ ଭୁବନେଶ୍ବର ଆଶ୍ରମ ଖାଲି, ଜଗତସିଂହପୁର ଠିକଣା ଉପରେ ନଜର

24/07/2020 at 12:38 PM

ଚନ୍ଦ୍ରଶେଖରପୁର୨୪।୭ : କରୋନା ପାଇଁ ଭୟ କରୁଛନ୍ତି କି ? ମୋ ପାଖକୁ ଆସ । କୋଉ ଭ୍ୟାକ୍‌ସିନ କି ଔଷଧ ଖାଇବା ଦରକାର ନାହିଁ । ମାସ୍କ ନ ପିନ୍ଧିଲେ ବି ଚଳିବ । ମୁଁ ଥରେ କାନରେ ମନ୍ତ୍ର ଫୁଙ୍କିଦେଲେ କରୋନା ଛାଡ଼ି ପଳାଇ ଯିବ । ଏମିତି କହି ଚର୍ଚ୍ଚାକୁ ଆସିଥିବା ଆର୍ତ୍ତତ୍ରାଣ ବାବା ଏବେ ହରଡ଼ଘଣାରେ ପଡ଼ିଛନ୍ତି । ତାଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଆଇନଜୀବୀ ତପନ ହରିଚନ୍ଦନ ଏତଲା ଦେଇଛନ୍ତି । ଏ ବିଷୟରେ ଜାଣିବା ପରେ ବାବା ଏବେ ଫେରାର ହୋଇ ଯାଇଛନ୍ତି । ପୁଲିସ୍‌ ତନାଘନା ଚଳାଇଛି ।

କରୋନା ଏବେ ସମଗ୍ର ବିଶ୍ୱ ସହ ଓଡ଼ିଶାରେ ବି ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ଭଲ କରିବା ନେଇ ଚର୍ଚ୍ଚାକୁ ଆସିଥିଲେ ଲୁମ୍ବିନୀ ବିହାରରେ ରହୁଥିବା ବାବା ଆର୍ତ୍ତତ୍ରାଣ । କିଛି ଦିନ ପୂର୍ବେ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ଖୋଲା ଚ୍ୟାଲେଞ୍ଜ ଦେଇ କହିଥିଲେ, କରୋନା ଭଲ କରିବା ପାଇଁ ସରକାର ମୋତେ ଥରେ ସୁଯୋଗ ଦିଅନ୍ତୁ । ମୁଁ କରୋନକୁ ସଂପୂର୍ଣ୍ଣ ଭଲ କରିଦେବି । କରୋନା ରୋଗୀ ମୋ ପାଖକୁ ଆସିଲେ ମନ୍ତ୍ର ଉଚ୍ଚାରଣ କରି ସୁସ୍ଥ କରିଦେବି । ମୋତେ ହଜାର ହଜାର କରୋନା ରୋଗୀଙ୍କ ମଧ୍ୟରେ ଛାଡ଼ି ଦିଆଯାଉ । ମୁଁ ସମସ୍ତଙ୍କୁ ଭଲ କରି ଦେବି । ଖାଲି ସେତିକି ନୁହେଁ, ବାବା କହିଥିଲେ ମୁଁ ୩ ଶହ କରୋନା ରୋଗୀଙ୍କୁ ଏବେ ଏ ପର୍ଯ୍ୟନ୍ତ ଭଲ କରି ସାରିଲିଣି । ବାବାଙ୍କ ଏଭଳି କଥାକୁ ନେଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଲୋକ ଗାଳିଗୁଲଜ କରିଥିଲେ । ସାହିତ୍ୟିକ ପ୍ରତିଭା ରାୟ ବାବାଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରିବା ସହ ଗିରଫ ପାଇଁ ଦାବି କରିଥିଲେ ।

ଏବେ ଆଇନଜୀବୀ ଶ୍ରୀ ହରିଚନ୍ଦନ ଥାନାରେ ଏତଲା ଦେଇଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି ଯେ କରୋନା ମହାମାରୀ ସମୟରେ ସମସ୍ତେ ଆତଙ୍କିତ ଥିବା ବେଳେ ବାବାଙ୍କ ଏହି କଥା ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଉଛି । ଯେଉଁଠି ବୈଜ୍ଞାନିକମାନେ ଫେଲ୍‌ ମାରି ଯାଇଛନ୍ତି ବାବା କିଭଳି ଏ ଅନ୍ଧ ବିଶ୍ୱାସରେ ଲୋକଙ୍କ ମନରେ ଆଶା ସଞ୍ଚାର କରୁଛନ୍ତି । ବାବାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେ ଦାବି କରିଛନ୍ତି । ଅନ୍ୟପଟେ ଥାନାରେ ଏତଲା ଦିଆଯାଇଥିବା ଜାଣିବା ପରେ ବାବା ଏବେ ଫେରାର ହୋଇଯାଇଛନ୍ତି । ସେ ପାରାଦୀପ ପଳାଇ ଯାଇଥିବା ଚର୍ଚ୍ଚା ହେଉଛି । ଘଟଣାର ତଦନ୍ତ କରାଯିବ ବୋଲି ପୁଲିସ୍‌ କହିଛି ।

   Related Posts