ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଶିଷ୍ୟ ଆନନ୍ଦ ଗିରିଙ୍କ ବିରୋଧରେ ମାମଲା ରୁଜ୍ଜୁ: ପୋଲିସ ହାତରେ ଅନେକ ସୁରାକ

Published By : Prameya-News7 Bureau | September 21, 2021 IST

ପ୍ରୟାଗରାଜ ୨୧/୦୯ : ଅଖିଳ ଭାରତୀୟ ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ତାଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି। ପୋଲିସ ପ୍ରବକ୍ତା ମଙ୍ଗଳବାର ଦିନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଏକହିଛନ୍ତି ଯେ ସୋମବାର ବିଳମ୍ବିତ ରାତିରେ ବନ୍ଧବା ସ୍ଥିତ ହନୁମାନ ମନ୍ଦିର ବ୍ୟବସ୍ଥାପକ ଅମର ଗିରିଙ୍କ ତରଫରୁ ଅଭିଯୋଗ ପରେ ଜର୍ଜଟାଉନ ଥାନାରେ ଆନନ୍ଦ ଗିରିଙ୍କ ବିରୋଧରେ ଆଇପିସି ଧାରା ୩୦୬ ଅନୁସାରେ ମାମଲା ରୁଜ୍ଜୁ ହୋଇଛି। ତାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଆରୋପ ହୋଇଛି। ପୋଲିସ ହାତରେ ଗୁରୁତ୍ତ୍ୱପୂର୍ଣ ସୁରାକ ମଧ୍ୟ ପଡିଛି ବୋଲି କୁହାଯାଉଛି।

ସେ କହିଛନ୍ତି ଯେ ଆମର ଗିରିଙ୍କ ଆବେଦନରେ ନରେନ୍ଦ୍ର ଗିରି ଓ ତାଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କ ମଧ୍ୟରେ ଥିବା ବିବାଦ ସମ୍ପର୍କରେ କୁହାଯାଇଛି। ଅଭିଯୋଗରେ ଘଟଣାକ୍ରମ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ନରେନ୍ଦ୍ର ଗିରିଙ୍କ ସୁଈସାଇଡ ନୋଟରେ ଆନନ୍ଦ ଗିରିଙ୍କ ଛଡା ହନୁମାନ ମନ୍ଦିର ମୁଖ୍ୟ ପୂଜାରୀ ଆଦ୍ୟ ପ୍ରସାଦ ଓ ତାଙ୍କ ପୁଅ ସନ୍ଦୀପ ମଧ୍ୟ ହଇରାଣ କରୁଥିବା ଅଭିଯୋଗ ରହିଛି। ପୋଲିସ କହିଛି ଯେ ସୁଈସାଇଡ ନୋଟ ଓ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମାମଲାରେ ଉତ୍ତରାଖଣ୍ଡ ପୋଲିସ ଆନନ୍ଦ ଗିରିଙ୍କୁ ସୋମବାର ଦିନ ଶ୍ୟାମପୁର କାଙ୍ଗଡି ସ୍ଥିତ ତାଙ୍କ ଆଶ୍ରମରୁ ହାଜତକୁ ନେଇଥିଲା। ସୋମବାର ରାତିରେ ମନ୍ଦିରର ମୁଖ୍ୟ ପୂଜାରୀ ଆଦ୍ୟ ପ୍ରସାଦ ଓ ତାଙ୍କ ପୁଅ ସନ୍ଦୀପଙ୍କୁ ଅଟକ ରଖି ପଚରାଉଚୁରା କରୁଛି। 

ସୂଚନାଯୋଗ୍ୟ ଯେ ଅଖିଳ ଭାରତୀୟ ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କର ସୋମବାର ସନ୍ଧ୍ୟାରେ ବାଘମ୍ବରୀ ମଠରେ ସନ୍ଦିଗ୍ଧ ସ୍ଥିତିରେ ମୃତ୍ୟୁ ହୋଇଛି। ତାଙ୍କ ମୃତଦେହ ମଠର ଏକ କୋଠରୀରେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା। ଘଟଣାସ୍ଥଳରୁ ପୋଲିସ ୮ ପେଜରେ ଏକ ସୁଈସାଇଡ ନୋଟ ମଧ୍ୟ ଜବତ କରିଛି। ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.