କରୋନା ରୋଗୀଙ୍କ ଚିକିତ୍ସା ନେଇ ପଦକ୍ଷେପ : ସେନା ସହଯୋଗରେ ୧୦ ଦିନରେ ୪୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରସ୍ତୁତ କଲା ଏହି ଦେଶ

Published By : Prameya-News7 Bureau | April 01, 2020 IST

ଲଣ୍ଡନ ୧।୪: ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ୍ । ବିଶ୍ବର ୧୯୯ ଦେଶକୁ ଏହି ଭାଇରସ୍ ବ୍ୟାପିସାରିଲାଣି । ତେବେ ବିଭିନ୍ନ ଦେଶରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି । ତେବେ କରୋନା ରୋଗୀଙ୍କ ପାଇଁ ଚିକିତ୍ସାଳୟର ଅଭାବ ପଡୁଥିବା ମଧ୍ୟ କିଛି କିଛି ଦେଶରେ ଦେଖିବାକୁ ମିଳୁଛି ।
ଏହି ସମୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସେନା ଡକାଇ ବ୍ରିଟେନ୍ ୧୦ ଦିନ ମଧ୍ୟରେ ୪୦୦୦ ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ ଡାକ୍ତରଖାନା ପ୍ରସ୍ତୁତ କରିଛି । ଏହାର ନାମ ନାଇଟେଙ୍ଗଲ ହସ୍ପିଟାଲ ରଖାଯାଇଛି | ଆଜି ଅର୍ଥାତ୍ ବୁଧବାରଠାରୁ ଏହି ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ମଧ୍ୟ ଆରମ୍ଭ ହୋଇପାରେ । ଏହାପୂର୍ବରୁ ଚୀନ୍ ୧୦ ଦିନ ମଧ୍ୟରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରିଥିଲା । ଯାହାକୁ ନେଇ ବିଶ୍ବବ୍ୟାପୀ ଚୀନ୍ ର ଆଲୋଚନା କରାଯାଇଥିଲା ।

{"id":247340,"width":578,"height":380,"sizeSlug":"large"}

ପ୍ରକୃତରେ ପୂର୍ବ ଲଣ୍ଡନର ଡକଲାଣ୍ଡ ଜିଲ୍ଲାରେ ଏକ୍ସେଲ୍ କନଭେନସନ୍ ସେଣ୍ଟର ଥିଲା | ଏହି କନଭେନସନ୍ ସେଣ୍ଟରକୁ ଡାକ୍ତରଖାନାରେ ପରିବର୍ତ୍ତିତ କରାଯାଇଛି | ହସ୍ପିଟାଲରେ ଦୁଇ ଦୁଇ ହଜାର ଶଯ୍ୟା ବିଶିଷ୍ଟ ଦୁଇଟି ୱାର୍ଡ କରାଯାଇଛି ।
ଦୁଇଥର ଇରାକ୍ ଏବଂ ଥରେ ଆଫଗାନିସ୍ତାନ ଗସ୍ତ କରିଥିବା କର୍ଣ୍ଣେଲ ଏଶଲେଗ ବୋରେମ କହିଛନ୍ତି ଯେ, ଏହି ଡାକ୍ତରଖାନା ପ୍ରସ୍ତୁତ କରିବା ତାଙ୍କ ଜୀବନର ସବୁଠାରୁ ବଡ ମିଶନ ହୋଇଥିଲା । ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ ସେବା ଏହି ପ୍ରକଳ୍ପର ନେତୃତ୍ବ ନେଉଛି । ସେ କହିଛନ୍ତି ଯେ ସେନାବାହିନୀର ସବୁବେଳେ ଗୋଟିଏ ଉଦ୍ଦେଶ୍ୟ ଥାଏ ଲୋକଙ୍କ ଜୀବନ ବଞ୍ଚାଇବା । ଏଶଲେଗ ୧୯୯୨ରେ ସେନାବାହିନୀରେ ଯୋଗ ଦେଇଥିଲେ ଏବଂ କିଛି ସପ୍ତାହ ପରେ ସେ ଅବସର ମଧ୍ୟ ନେବେ ।

{"id":247341,"sizeSlug":"large"}

ଲଣ୍ଡନ ବ୍ୟତୀତ ବ୍ରିଟେନ ମଞ୍ଚେଷ୍ଟର, ବର୍ମିଂହାମ ଏବଂ ଗ୍ଲାସ୍କୋରେ ଜରୁରୀକାଳୀନ ଡାକ୍ତରଖାନା ମଧ୍ୟ ପ୍ରସ୍ତୁତ କରାଯାଉଛି । ସାରା ବିଶ୍ବରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବ୍ରିଟେନରେ ଏପର୍ଯ୍ୟନ୍ତ ୨୫,୦୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ଆଗାମୀ ଦିନରେ ଏହି ସଂଖ୍ୟା ଯଥେଷ୍ଟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଭାଇରସ୍ ସଂକ୍ରମଣରେ ୧୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏହାସହ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ।

{"id":247342,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.