ଏମିତି ଏକ ବ୍ଲକ୍‌ ଯେଉଁଠି କାବୁ କରିପାରି ନାହିଁ କରୋନା, ମାତ୍ର ଜଣଙ୍କର ହୋଇଛି ମୃତ୍ୟୁ, ଜଣାପଡ଼ିଲା କାରଣ

Published By : Prameya-News7 Bureau | October 19, 2021 IST

ଲମତାପୁଟ, ୧୯।୧୦: ଏ ବର୍ଷ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ରେ ସେତେଟା କାୟା ବିସ୍ତାର କରିପାରିନି କରୋନା । ମୋଟ ୩୩୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ କେବଳ ଜଣଙ୍କର ଜୀବନ ଯାଇଛି । ଜିଲ୍ଲାର ଅଧିକାଂଶ ବ୍ଲକ୍‌ରେ ସ୍ଥିତି ସଂଗୀନ ରହିଥିଲା । କିନ୍ତୁ କଣ ପାଇଁ ଏହି ବ୍ଲକ୍‌ରେ କରୋନାର ସେତେଟା ପ୍ରଭାବ ନଥିଲା ତାହା ଜାଣିବା ପାଇଁ ଉଦ୍ୟମ କରା ଯାଇଥିଲା । ବିଭିନ୍ନ ସୂତ୍ରରୁ ତଥ୍ୟ ହାସଲ କରିବା ପରେ ସ୍ପଷ୍ଟ ହେଉଛି ସ୍ୱଚ୍ଛ ଅମ୍ଳଜାନ ହିଁ କରୋନାକୁ ରୋକିବାର ମୁଖ୍ୟ କାରଣ ।

ଲମତାପୁଟ ବ୍ୱକ୍‌ର ୧୫ଟି ପଞ୍ଚାୟତରେ ରହୁଛନ୍ତି ୬୦ ହଜାରରୁ ଅଧିକ ଲୋକ । ଅଥଚ କରୋନା ଦ୍ୱିତୀୟ ଲହରରେ ଆଜି ପର୍ଯ୍ୟନ୍ତ ୩୩୩ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏହାର କାରଣ ସମ୍ପର୍କରେ ପ୍ରଥମେ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦେବାଶିଷ ବେହେରାଙ୍କୁ ପଚରା ଯାଇଥିଲା । ସେ କହିଛନ୍ତି, ଅମ୍ଲଜାନ ସବୁଠି ସମାନ ଥାଏ । କିନ୍ତୁ ଲମତାପୁଟ ବ୍ଲକ୍‌ରେ ଅମ୍ଲଜାନରେ ସ୍ୱଚ୍ଛତା ରହିଛି । ଏଠାରେ ଗାଡ଼ିମୋଟର ଯାତାୟତ କମ୍‌ । କଳକାରଖାନା ନାହିଁ । ଆଉ ସବୁଠାରୁ ବଡ଼କଥା ହେଲା, ଏହା ଏକ ସବୁଜିମା ଭରା ଜଙ୍ଗଲ ଅଞ୍ଚଳ । ଏଠାକାର ଅକ୍ସିଜେନ୍‌ରେ ବହୁ ଗୁଣବତ୍ତା ରହିଛି । ତେଣୁ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କେବଳ ଜଣେ ୬୦ ବର୍ଷ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେ ବହୁତ ଦୁର୍ବଳ ଥିଲେ ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ । ମୋଟାମୋଟି ସବୁଜିମା ଭରା ଏବଂ ପ୍ରଦୂଷଣ ମୁକ୍ତ ଜଙ୍ଗଲ କାରଣରୁ ଏଠାକାର ଲୋକଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି ।

ଏହାର ସତ୍ୟତା ଖୋଜିବା ଲାଗି ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଗାଁରେ ଅନୁସନ୍ଧାନ କରାଯାଇଥିଲା । ଜାଣିବାକୁ ମିଳିଥିଲୁ ଯେ, ସେଠାକାର ବରିଷ୍ଠ ନାଗରିକ ହରେକୃଷ୍ଣ ପୂଜାରୀଙ୍କ ବୋହୁ ପୁଷ୍ପାରାଣୀ ବିଶେଇ କରୋନାରେ ଆକ୍ରନ୍ତ ହୋଇ ଲମତାପୁଟରେ ସୁସ୍ଥ ହୋଇଥିଲେ । ତାଙ୍କୁ ଡାକ୍ତର ଔଷଧ ଖାଇ ୧୪ ଦିନ କ୍ୱାରେଣ୍ଟନ୍‌ରେ ରହିବାକୁ କହିଥିଲେ । ହେଲେ ଅକ୍ସିଜେନ୍‌ ମାତ୍ରା ୮୯ ଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ତାଙ୍କୁ କୁହାଗଲା । ଛୋଟ ଛୋଟ ପିଲାଙ୍କୁ ଛାଡ଼ି ସେ ଡାକ୍ତରଖାନା ଯିବାକୁ ଅରାଜି ହୋଇଥିଲେ ।

ପରେ ସେ ଲମତାପୁଟର ଜଣେ ସମ୍ପର୍କୀୟଙ୍କ ଘରକୁ ପଳାଇଥିଲେ । ସେଠାରେ ପ୍ରଥମ ଦିନରେ ତାଙ୍କର ଅକ୍ସିଜେନ୍‌ ୯୦କୁ ବଢ଼ିଥିଲା । ଦ୍ୱିତୀୟ ଦିନରେ ୯୩ ଏବଂ ତୃତୀୟ ଦିନରେ ୯୭ରେ ପହଞ୍ଚିଥିଲା । ଫଳରେ ସେ ସୁସ୍ଥ ହୋଇଥିଲେ । ଏଥିରୁ ସ୍ପଷ୍ଟଯେ ସେ ସ୍ଚଚ୍ଛ ଅକ୍ସିଜେନ୍‌ ପାଇଁ ନୂଆ ଜୀବନ ପାଇଲେ ।

ମୋଟାମୋଟି କହିବାକୁ ଗଲେ କଂକ୍ରିଟ୍‌ ସହରରେ ଅକ୍ସିଜେନ୍‌ ଅଭାବରୁ ଅନେକ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଅକାଳରେ ଚାଲିଯାଉଛି ଜୀବନ । ତେଣୁ ବିଶେଷଜ୍ଞଙ୍କ ମତ ହେଉଛି, ସ୍ୱଚ୍ଛ ଅକ୍ସିଜେନ୍‌ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ । ତେଣୁ ପ୍ରାକୃତିକ ପରିବେଶରେ ବଞ୍ଚୁଥିବା ମଣିଷ ମାନଙ୍କ କ୍ଷେତ୍ରରେ କରୋନାର ପ୍ରଭାବ କମ୍‌ ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.