କରୋନାକୁ ନାହିଁ ଭୟ, ଭଦ୍ରକରେ ବୋଲ ମାନୁନାହାନ୍ତି ଅମାନିଆ : ନିୟମ ଭାଙ୍ଗି ଗଣୁଛନ୍ତି ତଣ୍ଡ

Published By : Prameya-News7 Bureau | May 07, 2021 IST

ଭଦ୍ରକ ୭।୫: ଭଦ୍ରକ ଜିଲ୍ଲାରେ ଗୋଟିଏ ୨୪ ଘଣ୍ଟା ମଦ୍ୟରେ ଲମ୍ବା ଡିଆଁ ମାରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଚିହ୍ନଟ ହୋଇଛନ୍ତି ୩୮୧ ସଂକ୍ରମିତ । ତଥାପି ଅମାନିଆଙ୍କର ବ୍ରେକ୍ ନାହିଁ । ବିଭିନ୍ନ ସ୍ଥାନରେ ପୋଲିସର ଚେକିଂ ଓ ବ୍ଳକିଂକୁ ମଧ୍ୟ ଏଡାଇଯାଉଛନ୍ତି ଅମାନିଆ । ବିଭିନ୍ନ ବାହାନାରେ ସହର ସାରା ପାଇଁତରା ମାରୁଛନ୍ତି । ବେଳେ ବେଳେ ପୋଲିସ ହାବୁଡରେ ପଡି ଜରିମନା ମଧ୍ୟ ଦେଉଛନ୍ତି । ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ ଜାରି ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରେ ମଧ୍ୟ କଟକଣା କଡାକଡି କରାଯାଇଛି । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଓ ଅତ୍ୟାବଶ୍ୟକୀୟ ସେବାକୁ ଛଡା ସବୁ ବନ୍ଦ ରହିଛି ।

ଭଦ୍ରକ ସହର ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ କଟକଣା ବଳବତ୍ତର ରହିଛି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଲଗାଯାଇଛି । ବନ୍ତ ଛକ , ବାଇପାସ , ଅରଡି ଛକ, ଅପର୍ତ୍ତିବିନ୍ଧା ଛକ, ଟାଉନହଲ ଛକରେ ବ୍ୟାରିକେଡ କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିଛି । ସହର ଭିତରକୁ ବାଇକର ପ୍ରବେଶ ଉପରେ କଟକଣା ରହିଛି । କେବଳ ଚାଲି ଚାଲି ବଜାର ଯିବା ପାଇଁ ଅନୁମତି ଦେଇଛି ପ୍ରଶାସନ । ତଥାପି ପୋଲିସର ଚେକିଂ ସତ୍ତ୍ବେ ଲୋକେ ବିଭିନ୍ନ ବାହାନାରେ ବଜାରରେ ବୁଲିବା ବେଳେ ଧରାପଡି ତଣ୍ଡ ଗଣୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.