ଜାଣନ୍ତୁ ଭାରତର କେଉଁ ଜାଗାରେ ଅଛି ଏହି ସ୍ଥାନ ? ଯେଉଁଠି ଦେବତା ନୁହେଁ ପୂଜା ପାଆନ୍ତି ରାକ୍ଷସ !

Published By : Prameya-News7 Bureau | December 04, 2021 IST

ଭୁବନେଶ୍ୱର ୦୪/୧୨ : ହିନ୍ଦୁ ଧର୍ମରେ ୩୩କୋଟି ଦେବା ଦେବୀ ଅଛନ୍ତି ବୋଲି ବିଶ୍ୱାସ ରହିଛି। ଯେପରି ଅଗ୍ନୀ ଦେବତା, ଜଳ ଦେବତା, ଧରାପୃଷ୍ଠକୁ ଆଲୋକିତ କରିବା ପାଇଁ ସୂର୍ଯ୍ୟ ଦେବତା ମଧ୍ୟ ଅଛନ୍ତି। ଆପଣ ଜାଣିଛନ୍ତି କି ଭାରତରେ ଏଭଳି ମନ୍ଦିର ଓ କୀର୍ତ୍ତିରାଜି ରହିଛି ଯେଉଁଠି ଦେବତାମାନଙ୍କ ଭଳି ରାକ୍ଷସ ମାନଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ତେବେ ଏହି ମନ୍ଦିର ଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା...

ହିମାଚଳ ପ୍ରଦେଶରେ ମୋନାଲିରେ ମାଆ ହିଡ଼ିମ୍ବାଦେବୀଙ୍କ ମନ୍ଦିର ଅଛି। ଏଠାରେ ଦେବୀଙ୍କୁ ରକ୍ତ ଭୋଗ ଅର୍ପଣ କରାଯାଏ। ରକ୍ତ ଭୋଗ ଚଢ଼ାଇଲେ ସେ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି। ଅନ୍ଧ ବିଶ୍ୱାସ ଦୃଷ୍ଟିରୁ ଦେଖିଲେ ସେମିତି କିଛି ନୁହେଁ । ଯଦି ଧାର୍ମିକ ଦୃଷ୍ଟିରୁ ଦେଖିବା ସେ ରାକ୍ଷସି ହୋଇ ମଧ୍ୟ ଧର୍ମ ସପକ୍ଷରେ ରହିଥାନ୍ତି। ସେଥିପାଇଁ ତାଙ୍କୁ ପୂଜା କରିବାର ମହତ୍ତ୍ୱ ରହିଛି। ହିଡ଼ିମ୍ବାଦେବୀ ମହାଭାରତରେ ଭୀମଙ୍କ ସ୍ତ୍ରୀ ଭାବେ ପରିଚିତ।

ଉତ୍ତର ପ୍ରଦେଶର ଗୋକୂଳରେ ମାଆ ପୁତନାଙ୍କ ମନ୍ଦିର ରହିଛି। ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ କଂସ ତାଙ୍କୁ ପଠାଇଥିଲେ। ମାଆ ପୁତନା ତାଙ୍କ ଛାତିରେ ବିଷ ବୋଳି ବାଳ ଗୋପାଳଙ୍କୁ କ୍ଷୀର ପିଆଇଥିଲେ। ଏହାରି ପ୍ରଭାବରେ ସେହି ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଯେ ହେତୁ ଶ୍ରୀକୃଷ୍ଣଙ୍କୁ ସେ କ୍ଷୀର ପିଆଇଥିଲେ ସେଥି ପାଇଁ ପୁତନା ତାଙ୍କର ମାଆ। ସେଥିପାଇଁ ମାଆ ପୁତନାଙ୍କ ପୂଜାର୍ଚ୍ଚନା କରାଯାଇଥାଏ।

ଝାନ୍ସିର ପଞ୍ଚକୁଲା ସହରରେ ଅହି ରାବଣଙ୍କର ୩୦୦ବର୍ଷର ପୁରୁଣା ମନ୍ଦିର ରହିଛି। ରାମାୟଣ ଯୁଗରେ ରାବଣ ଯେତେବେଳେ ରାମଙ୍କ ସହିତ ଲଢ଼ିବାରେ ଦୁର୍ବଳ ହୋଇଗଲେ ସେତେବେଳେ ଅହି ରାବଣଙ୍କୁ ନିମନ୍ତ୍ରଣ କରିଥିଲେ। ଅହି ରାବଣ ରାମ ଓ ଲକ୍ଷ୍ମଣଙ୍କୁ ଅପହରଣ କରିନେଇଥିଲେ।

କେରଳର କୋଲ୍ଲମ ଜିଲ୍ଲାରେ ଶକୁନିଙ୍କ ମନ୍ଦିର ରହିଛି। ଶକୁନିଙ୍କୁ ମହାଭାରତର ଖଳନାୟକ ଭାବେ ଜଣାଯାଏ। ଏହି ମନ୍ଦିରରେ ଭକ୍ତମାନେ ନଡ଼ିଆ ଭୋଗ ଲଗାଇବା ସହିତ ରେଶମ କପଡ଼ା ଅର୍ପଣ କରନ୍ତି। ଏଠାରେ ତାନ୍ତ୍ରିକ ସାଧନା ମଧ୍ୟ କରାଯାଏ। କେରଳର କୁଲ୍ଲମ ଜିଲ୍ଲାର ଶକୁନି ମନ୍ଦିର ଠାରୁ କିଛି ଦୂରରେ ଦୁର୍ଯ୍ୟୋଧନଙ୍କ ମନ୍ଦିର ରହିଛି। ଏଠାରେ ତାଙ୍କର ପୂଜାର୍ଚ୍ଚନା କରାଯାଇଥାଏ।

ପୁରାଣରେ ସବୁଠାରୁ ଦୁର୍ଦ୍ଦାନ୍ତ ରାକ୍ଷସମାନଙ୍କ ମଧ୍ୟରୁ ରାବଣଙ୍କ ନାଁ ଆସେ। ଭାରତରେ ତାଙ୍କର ଦୁଇଟି ମନ୍ଦିର ରହିଛି। ମଧ୍ୟ ପ୍ରଦେଶର ଭିଦିଶା ଓ ଉତ୍ତରପ୍ରଦେଶର କାନପୁରରେ ଏହି ମନ୍ଦିର ରହିଛି। ଭିଦିଶା ଜିଲ୍ଲାର ନଟେରନ ତହସିଲ୍‌ରେ ରାବଣନାମରେ ଏକ ଗାଁ ରହିଛି। କାନପୁରର ସିମଲାରେ ୧୮୯୦ ମସିହାରେ ରାବଣଙ୍କ ମନ୍ଦିର ତିଆରି କରାଯାଇଥିଲା। ଏଠାରେ ଭକ୍ତମାନେ ମାଟି ଦୀପ ଜାଳି ପୂଜାର୍ଚ୍ଚନା କରନ୍ତି। ଏହାଛଡ଼ା ଉତ୍ତରପ୍ରଦେଶର ବିରଶଙ୍ଖ ଗାଁ, ଯୋଧପୁର, ମନ୍ଦସୌରରେ ରାବଣଙ୍କର ମନ୍ଦିର ରହିଛି। ସେହିପରି ଆନ୍ଧ୍ରପ୍ରଦେଶର କାକିନାଡ଼ା ସହରର ସମୁଦ୍ର କୂଳରେ ରାବଣଙ୍କର ମନ୍ଦିର ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.