ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି ପଡିଲା ମହଙ୍ଗା: ମୁଣ୍ଡରେ ବନ୍ଧୁକ ଲଗାଇ ଉଠାଇ ନେଲାବେଳେ ଧରିଲେ ଗ୍ରାମବାସୀ, ନିସ୍ତୁକ ପିଟିଲେ

Published By : Prameya-News7 Bureau | June 27, 2020 IST

ବାଲିପାଟଣା, ୨୭|୦୬:  ପୁଣି ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଗୁଣ୍ଡାଗର୍ଦି ସାମ୍ନାକୁ ଆସିଛି । ଜଣେ କିସ୍ତି ଖିଲାପକାରୀଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଇବା ଏବଂ ଗୁଣ୍ଡା ଲଗାଇ ଉଠାଇନେବାକୁ ଚେଷ୍ଟା କରିଛନ୍ତି ଫାଇନାନ୍ସ କମ୍ପାନୀ କର୍ମଚାରୀ । ତେବେ ଭୁଲରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଉଠାଇନେଉଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡି ଛେଚା ଖାଇଛନ୍ତି ଫାଇନାନ୍ସ କମ୍ପାନୀ କର୍ମଚାରୀ । ଏଭଳି ଏକ ଘଟଣା ଘଟିଛି ବାଲିପାଟଣା ଥାନା ଦେଉଳିଧରପୁର ଗ୍ରାମରେ ।

ସୂଚନାନୁସାରେ, ଦେଉଳିଧରପୁରଗ୍ରାମର ଜଣେ ଯୁବକ ଫାଇନାନ୍ସରେ ଏକ ମୋବାଇଲ୍ କିଣିଥିଲେ । ଲକଡାଉନ୍ ଯୋଗୁ ୩ଟି କିସ୍ତି ଦେବାକୁ ଅସମର୍ଥ ହୋଇଥିଲେ ଯୁବକ ଜଣକ । ଏହା ଯୋଗୁ ଫାଇନାନ୍ସ କମ୍ପାନୀର କର୍ମଚାରୀ ବାରମ୍ବାର ତାଙ୍କୁ ଧମକ ଦେଉଥିଲେ । ଶୁକ୍ରବାର ରାତ୍ରି ପ୍ରାୟ ୮ଟାରେ ଫାଇନାନ୍ସ କମ୍ପାନୀ କର୍ମଚାରୀ ୮ ରୁ ୧୦ଜଣଙ୍କୁ ସାଥିରେ ଆଣି ସଂପୃକ୍ତ ଯୁବକଙ୍କ ଗ୍ରାମରେ ପହଁଚିଥିଲେ । ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହା ସହ ଭୁଲରେ ଅନ୍ୟଜଣେ ଯୁବକଙ୍କୁ ଗାଡିରେ ବସାଇ ଉଠାଇନେବାକୁ ଚେଷ୍ଟା କରିଥିଲେ । ଯୁବକ ଜଣକ ଚିତ୍କାର କରିବାରୁ ଗ୍ରାମର କିଛି ବ୍ୟକ୍ତି ସେମାନଙ୍କୁ ଅଟକ ରଖିଥିଲେ ।

{"id":292574,"width":689,"height":918,"sizeSlug":"large"}

ଘଟଣା ସମ୍ପର୍କରେ ଜଣା ପଡିବା ପରେ ଘଟଣା ସ୍ଥଳରୁ ଖସିଯାଇଥିଲେ ୮ ରୁ ୧୦ ଜଣ । ଫାଇନାନ୍ସ କମ୍ପାନୀ କର୍ମଚାରୀକୁ ଉତମ ମଧ୍ୟମ ଦେଇଥିଲେ କିଛି ବ୍ୟକ୍ତି । ଘଟଣା ସ୍ଥଳରେ କିଛି ବାଇକ୍‌ କୁ ଛାଡି ଚାଲିଯାଇଥିଲେ ଆସିଥିବା ଯୁବକ । ଘଟଣା ସମ୍ପର୍କରେ ଗ୍ରାମବାସୀ ବାଲିପାଟଣା ପୋଲିସକୁ  ଖବର ଦେଇଥିଲେ । ଜଣେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଆଣି ଥାନାରେ ଅଟକ ରଖି ପଚରା ଉଚରା କରୁଛି ବାଲିପାଟଣା ପୋଲିସ । ଲକଡାଉନ୍ ରେ ଫାଇନାନ୍ସ କମ୍ପାନୀର ଏଭଳି ଗୁଣ୍ଡାଗର୍ଦ୍ଦି କାର୍ଯ୍ୟକୁ ସମସ୍ତେ ନାପସନ୍ଦ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.