୨୦୨୧-୨୨ ପାଇଁ ବଜେଟ୍ ପ୍ରସ୍ତୁତି ଆରମ୍ଭ କଲା ଅର୍ଥ ମନ୍ତ୍ରଣାଳୟ, ଆର୍ଥିକ ସଙ୍କଟ ମଧ୍ୟରେ ହେବ ଉପସ୍ଥାପନ

Published By : Prameya-News7 Bureau | October 17, 2020 IST

ନୂଆଦିଲ୍ଲୀ ୧୭।୧୦: ଅର୍ଥ ମନ୍ତ୍ରଣାଳୟ ଶୁକ୍ରବାର ୨୦୨୧-୨୨ ପାଇଁ ବଜେଟ୍ ପ୍ରସ୍ତୁତ ଆରମ୍ଭ କରି ଦେଇଛି। ବଜେଟ୍ ତିଆରି ପ୍ରକ୍ରିୟା ଏମିତି ସମୟରେ ଆରମ୍ଭ ହୋଇଛି ଯେତେବେଳେ ଦେଶର ଆର୍ଥିକ ବୃଦ୍ଧିକୁ ଗତି ଦେବାର ଆବଶ୍ୟକତା ରହିଛି। ଆସନ୍ତା ବର୍ଷର ବଜେଟ୍ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। କାରଣ ସଂପ୍ରତି ଦେଶ କରୋନା ମହାମାରୀ ସହିତ ଆର୍ଥିକ ସଙ୍କଟ ଦେଇ ଗତି କରୁଛି।

ଏମିତି ସ୍ଥିତିରେ ଅର୍ଥ ମନ୍ତ୍ରଣାଳୟକୁ ନିଜର  ବଜେଟ୍‌ରେ ରାଜସ୍ଵ ସଂଗ୍ରହ, ବିନିବେଶ, ବ୍ୟୟ, ରପ୍ତାନୀ ଓ ଖାଦ୍ୟ ବସ୍ତୁର ମୂଲ୍ୟ ସମେତ ଅର୍ଥବ୍ୟବସ୍ଥାର ପ୍ରତ୍ୟେକ କ୍ଷେତ୍ର ଉପରେ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି। ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ(ଆଇଏମଏଫ) ଅନୁଯାୟୀ, ଚଳିତ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥାରେ ୧୦.୩ ପ୍ରତିଶତ ହ୍ରାସ ହେବାର ଅନୁମାନ କରାଯାଇଛି।

ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ ୨୦୨୦-୨୧ର ସଂଶୋଧିତ ଅନୁମାନ ଓ ୨୦୨୧-୨୨ ବଜେଟ୍‌ ଅନୁମାନକୁ ଚୂଡାନ୍ତ ରୂପ ଦେବା ପାଇଁ ପ୍ରାୟ ଏକ ମାସ ହେବାକୁ ଥିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ନଭେମ୍ଵର ୧୨ ପର୍ଯ୍ୟନ୍ତ ଚାଲିବ। ଏହି ବୈଠକରେ ବିତ୍ତୀୟ ସେବା ବିଭାଗ ସହିତ ଏମଏସଏମଇ(ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ), ଆବାସ, ଇସ୍ପାତ ଓ ବିଜୁଳି କ୍ଷେତ୍ରର ଅଧିକାରୀ ସାମିଲ ଥିଲେ।

ଉଲ୍ଲେଖଯୋଗ୍ୟ, ଏହି ବଜେଟ୍ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତୃତୀୟ ବଜେଟ୍ ହେବ। ଏହାକୁ ଆସନ୍ତା ବର୍ଷ ୨୦୨୧ ଫେବୃଆରୀ ୧ରେ ଉପସ୍ଥାପନ କରାଯାଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ଫେବୃଆରୀ ମାସର ଶେଷ ତାରିଖରେ ବଜେଟ୍ ଉପସ୍ଥାପନ ପ୍ରଥାକୁ ସମାପ୍ତ କରିଥିଲେ। ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ସେହି ସମୟରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ୨୦୧୭ ଫେବୃଆରୀ ୧ରେ ବଜେଟ୍ ଉପସ୍ଥାପନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.