ରାଜସ୍ବ କ୍ଷତିକୁ ନେଇ ଚିନ୍ତାରେ ସରକାର ! ଖର୍ଚ୍ଚ ନିୟନ୍ତ୍ରଣ ପାଇଁ ସମସ୍ତ ମନ୍ତ୍ରାଳୟକୁ ପୁଣି ଦେଲେ ନିର୍ଦ୍ଦେଶ
26/11/2020 at 3:29 PM

ନୂଆଦିଲ୍ଲୀ ୨୬/୧୧: କରୋନା ସଙ୍କଟ ଓ ଲକ୍ଡାଉନ୍ ଯୋଗୁ ଦେଶରେ ରାଜସ୍ୱ କ୍ଷତି ବଢ଼ିଛି। ଏହା ସହ ସରକାରଙ୍କ ତମାମ ଯୋଜନା ଖର୍ଚ୍ଚ ମଧ୍ୟ ବଢ଼ିଯାଇଛି। ଏଭଳି ପରିସ୍ଥିତିରୁ ମୁକୁଳିବା ପାଇଁ ସରକାର ଅନେକ ନିଷ୍ପତ୍ତି ନେଉଛନ୍ତି। ରାଜସ୍ୱ କ୍ଷତି ପାଇଁ କେନ୍ଦ୍ର ସରକାର ଚିନ୍ତାରେ ଥିବା ବେଳେ ଏଥରୁ ବର୍ତ୍ତିବା ପାଇଁ ବଭିନ୍ନ ମନ୍ତ୍ରାଳୟକୁ ଖର୍ଚ୍ଚ କାଟ୍ କରିବାକୁ ନିର୍ଦେଶ ଦେଇଛନ୍ତି।
ଚଳିତ ଆର୍ଥିକ ବର୍ଷରେ ଶେଷ ମାସ ପର୍ଯ୍ୟନ୍ତ ନିଜର ଖର୍ଚ୍ଚରେ ସଂଶୋଧିତ ଅନୁମାନ ଲକ୍ଷ ସୀମିତ ରଖିବାକୁ ସମସ୍ତ ମନ୍ତ୍ରାଳୟ ଓ ବିଭାଗକୁ ପୁଣି ଥରେ କହିଛି ଅର୍ଥ ମନ୍ତ୍ରାଳୟ। ତେବେ ନିର୍ଦ୍ଧାରିତ ଖର୍ଚ୍ଚ ସୀମାର କଡ଼ାକଡ଼ି ପାଳନ ପାଇଁ ମନ୍ତ୍ରାଳୟ ଓ ବିଭାଗକୁ ତାଗିଦ୍ କରାଯାଇଛି।
ଲକ୍ଡାଉନ୍ ସମୟରେ ନୂଆ ଯୋଜନାର ଆରମ୍ଭ ଉପରେ ରୋକ୍ ଲଗାଇଥିଲେ କେନ୍ଦ୍ର ସରକାର। ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଆସିଥିବା ନୂଆ ଯୋଜନା ଉପରେ ଅର୍ଥ ମନ୍ତ୍ରାଳୟ ରୋକ୍ ଲଗାଇଥିଲା। ତେବେ ଏହି ନିୟମ ଏବେ ଅନୁମୋଦିତ ଯୋଜନା ଉପରେ ବି ଲାଗୁ କରାଯାଇଛି।
ଆର୍ଥିକ ସଂକଟ ମଧ୍ୟରେ ସରକାର ଋଣ ମଧ୍ୟ କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ବଜାରରେ ଋଣ ୪.୨ ଲକ୍ଷ କୋଟି ଟଙ୍କାରୁ ବଢ଼ି ୧୨ ଲକ୍ଷ କୋଟି କରିଦିଆଯାଇଛି। ତେବେ ୨୦୨୦-୨୧ ଆର୍ଥିକ ବର୍ଷରେ ଆନୁମାନିକ ଋଣ ୭.୮୦ ଲକ୍ଷ କୋଟି ସ୍ଥାନରେ ୧୨ ଲକ୍ଷ କୋଟି ହେବ ବୋଲି ଜଣାପଡ଼ିଛି।