ଆଜି ବିଧାନସଭାରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ୍, ୧ ଲକ୍ଷ ୪୦ ହଜାର କୋଟି ଟପିପାରେ ବଜେଟ୍ ଅଟକଳ

Published By : Prameya-News7 Bureau | June 28, 2019 IST

ଭୁବନେଶ୍ବର ୨୮|୬: ଆଜି ବିଧାନସଭା ବଜେଟ୍ ଅଧିବେଶନର ଚତୁର୍ଥ ଦିନ । ବିଧାନସଭାରେ ଅପରାହ୍ନ ୫ଟାରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍ । ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ତେବେ ଏଥିରେ କ’ଣ ରହିବ ରୂପରେଖ ? କାହାକୁ ପ୍ରାଥମିକତା ଦେବେ ଅର୍ଥମନ୍ତ୍ରୀ ? ଏବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ପଞ୍ଚମ ପାଳି କ୍ଷମତାକୁ ଫେରିବା ସହ ଷୋଡଶ ବିଧାନସଭାର ଏହା ହେବ ନବୀନ ସରକାରଙ୍କ ପ୍ରଥମ ବଜେଟ୍ । ଆଉ ନିରଞ୍ଜନ ପୂଜାରୀ ବି ଅର୍ଥମନ୍ତ୍ରୀ ଭାବେ ତାଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ କରିବେ । ତେବେ ଏଥରର ବଜେଟ୍ ଅଟକଳ ପ୍ରାୟ ୧ଲକ୍ଷ ୪୦ ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଉଛି । ଯାହାକି ଗତବର୍ଷ ତୁଳନାରୁ ପ୍ରାୟ ୨୦ ହଜାର କୋଟି ଅଧିକ । ହେଲେ ଏହି ବଜେଟରେ ସରକାର କେଉଁ କ୍ଷେତ୍ରକୁ କେତେ ଗୁରୁତ୍ବ ଦେବେ ତାକୁ ନେଇ ସମସ୍ତଙ୍କ ନଜର ରହିଛି ଅର୍ଥମନ୍ତ୍ରୀଙ୍କ ବଜେଟ୍ ବାକ୍ସ ଉପରେ ।

ଯେହେତୁ ସେବାକ୍ଷେତ୍ର, ଶିଳ୍ପ, କୃଷି ଓ ଭିତ୍ତିଭୂମି ଆଦି କ୍ଷେତ୍ର ରାଜ୍ୟର ସମ୍ବଳ ବଢାଇବାରେ ସହଯୋଗ କରୁଛି ସେଥିପାଇଁ ଏସବୁ କ୍ଷେତ୍ରକୁ ସରକାର ପ୍ରାଧାନ୍ୟ ଦେବେ ବୋଲି ଆଲୋଚନା ହେଉଛି । ତେବେ ବାତ୍ୟା ‘ଫୋନି’ ପରବର୍ତ୍ତୀ ଥଇଥାନ ଓ ପୁନରୁଦ୍ଧାର କାମ ଫୋକସ୍ ରେ ରହିବା ଆଶା କରାଯାଉଛି। କାରଣ ବାତ୍ୟାରେ ହଜାର ହଜାର କଚ୍ଚା ଘର ମାଟିରେ ମିଶିଛି । ସ୍କୁଲ ବିଲଡିଂ ଗୁଡ଼ିକୁ ବ୍ୟାପକ କ୍ଷତି ପହଞ୍ଚାଇଛି । ବାତ୍ୟା ପ୍ରଭାବିତ ଜିଲ୍ଲାରେ ବିଦ୍ୟୁତ୍ ଭିତ୍ତିଭୂମି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।ତେଣୁ ବଜେଟ୍ ରେ ପଞ୍ଚାୟତିରାଜ, ସ୍କୁଲ ଗଣଶିକ୍ଷା ଓ ଶକ୍ତି ବିଭାଗ ଲାଗି ଅଧିକ ବ୍ୟୟବରାଦ ହୋଇପାରେ ।

ସେପଟେ ନିର୍ବାଚନୀ ବିଜୟରେ ପ୍ରମୁଖ ଅସ୍ତ୍ର ସାଜିଥିବା ‘କାଳିଆ’ ଓ ‘ମିଶନ ଶକ୍ତି’ ପାଇଁ ମଧ୍ୟ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ‘କାଳିଆ’ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି କରାଯାଇଥିବାରୁ ଅତିରିକ୍ତ ୩ ହଜାର ୨ଶହ ୩୪ କୋଟି ଟଙ୍କା ଆବଶ୍ୟକ ହେବ। ସେହିପରି ସରକାରୀ ସ୍ତରରେ ବ୍ୟବସାୟ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଲାଗି ୧ ହଜାର କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ଏଥିସହିତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇବା ପାଇଁ ମଧ୍ୟ ସରକାର ଅର୍ଥ ବ୍ୟବସ୍ଥା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.