କନ୍ଧମାଳରେ ବାତ୍ୟା ଓ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୁଷଣ ବହେରା ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ

Published By : Prameya-News7 Bureau | October 14, 2018 IST

କନ୍ଧମାଳ ୧୪/୧୦ : ତିତିଲିର ପ୍ରଭାବରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବହୁ ରାସ୍ତାଘାଟ, ପୋଲ ସବୁ ଧୋଇ ହୋଇଯାଇଛି। ଗମନା ଗମନ ଜିଲ୍ଲାରେ ବାଧାପ୍ରାପ୍ତ ହୋଇଛି। ବହୁ ଘରଦ୍ବାର ମଧ୍ୟ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ଏସବୁ ସ୍ଥିତିର ସମୀକ୍ଷା କରିବା ପାଇଁ ଗତକାଲି ଅର୍ଥମନ୍ତ୍ରୀ ଶଶିଭୁଷଣ ବହେରା  ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝି ଫୁଲବାଣୀ ଯାଇ ବରିଷ୍ଠ ଅଧତ୍କାରୀମାନଙ୍କ ସହ ପରିସ୍ଥିତି ସଂପର୍କରେ ଆଲୋଚନା କରିବା ସହ ବିଭିନ୍ନ ପ୍ରଭାବିତ ଅଂଚଳ ଗସ୍ତ କରି ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ପଚାରି ବୁଝିଥିଲେ ।  ଅର୍ଥମନ୍ତ୍ରୀ ଶଶିଭୁଷଣ ବହେରା ଓ ମନ୍ତ୍ରୀ ରମେଶ ମାଝି କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ପିକରଡି ପଂଚାୟତର ରୁଦାବିଦିଙ୍ଗିଆରେ ପ୍ରଶାସନ ପକ୍ଷରୁ କରାଯାଇଥିବା ରିଲିଫ କ୍ୟାମ୍ପକୁ ଯାଇ ବୁଲି ଦେଖିବା ସହ କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିଥିଲେ । ତିତିଲିର ପ୍ରଭାବରେ ଗୁରୁବାର ରାତିରେ ପାହାଡ ଧସିବା ଫଳରେ ଟିକାବାଲି ବ୍ଲକର ପିକରଡି ପଂଚାୟତର ରୁଦାବିଦିଙ୍ଗିଆ ଗାଁର ୫୦୦ ଲୋକଙ୍କୁ ସ୍କୁଲଘରେ ରିଲିଫ କ୍ୟାମ୍ପରେ ରଖାଯାଇଛି । ଆଉ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ପ୍ରଶାସନ ପକ୍ଷରୁ। ତିତିଲି ପ୍ରଭାବରେ ପାହାଡ ଧସିବା ଫଳରେ ଗାଁରେ ଛେଳି, ଗୋରୁ, ଗାଇ ଆଦି ମୃତୁୟବରଣ କରିବା ସହ ଫସଲ ମଧ୍ୟ ନଷ୍ଟ ହୋଇଛି। ସେ ବାବଦରେ ପ୍ରଶାସନ ତଦନ୍ତ କରି ଅତିଶିଘ୍ର କ୍ଷତିପୂରଣ ଦେବାକୁ ଦାବୀ କରିଛନ୍ତି କ୍ଷତିଗ୍ରସ୍ତ ଲୋକେ। ସେମାନେ କିଭଳି ପରିସ୍ଥିତିରେ ଅଛନ୍ତି ଆସନ୍ତୁ ଶୁଣିବା ସେମାନଙ୍କ ମୁହଁରୁ। ରିଲିଫ କ୍ୟାମ୍ପରେ ପ୍ରାୟ ୫୦୦ ଜଣଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ଓ ପରିସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି କହିଥିଲେ କ୍ୟାମ୍ପ ଦାୟୀତ୍ବରେ ଥିବା ଅଫିସର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.