ସୁରଟରେ ଓଡିଆ ଶ୍ରମିକଙ୍କ ଦୁର୍ଦ୍ଦଶା : ପରିସ୍ଥିତି ଅନୁଧ୍ୟାନ ପାଇଁ ପହଂଚିଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ଖୁବଶୀଘ୍ର ଯିବେ ମୁଖ୍ୟମନ୍ତ୍ରୀ
27/08/2018 at 4:11 AM

ଭୁବନେଶ୍ୱର ୨୭|୮: ଚାରି ଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଶନିବାର ସୁରଟରେ ପହଞ୍ଚି ସେଠାକାର ଓଡିଆ ଶ୍ରମିକଙ୍କ ସ୍ଥିତି ଯାଞ୍ଚ କରିଛନ୍ତି। ସେହିପରି ଜିଏସ୍ଟିରେ ପ୍ରଭାବିତ ହୋଇଥିବା ଅନେକ ଫ୍ୟାକ୍ଟ୍ରି ବୁଲି ଦେଖିଛନ୍ତି।
ଜିଏସ୍ଟି ଅଧିନରେ ଆସିବା ପରଠାରୁ ଗୁଜୁରାଟର ଅନେକ ବୟନ ଶିଳ୍ପର ମାଲିକଙ୍କୁ ବ୍ୟବସାୟରେ କ୍ଷତିର ସାମନା କରିବାକୁ ପଡିଛି। କେତେକ ଫ୍ୟାକ୍ଟ୍ରିରେ ଉତ୍ପାଦନ ହ୍ରାସ ହେବା ସହ ତାଲା ଝୁଲାଇବା ପରି ପରିସ୍ଥିତି ଦେଖା ଦେଇଛି। ଏହା ଫଳରେ ସେହି ଫ୍ୟାକ୍ଟ୍ରି ଗୁଡିକରେ କାମ କରୁଥିବା ଓଡିଶାର ପ୍ରାୟ ଦେଢ ଲକ୍ଷ ଶ୍ରମିକ ପ୍ରଭାବିତ ହୋଇଛନ୍ତି। ସେହି ଓଡିଆ ଶ୍ରମିକଙ୍କ ସ୍ଥିତି ବୁଝିବା ପାଇଁ ଅର୍ଥମନ୍ତ୍ରୀ ଶଶିଭୂଷଣ ଗୁଜୁରାଟ ଗସ୍ତରେ ଯାଇଛନ୍ତି।
ମନ୍ତ୍ରୀ ସେଠାରେ ଅବତରଣ କଲାପରେ ପ୍ରଥମେ ସୁରଟରେ କାମ କରୁଥିବା ଓଡିଆ ଶ୍ରମିକ ଏବଂ ଫ୍ୟାକ୍ଟ୍ରି ମାଲିକଙ୍କ ସହ ଆଲୋଚନା କରିଥିଲେ। ପରେ ସେ ଲୁମୁସ ଫ୍ୟାକ୍ଟ୍ରି ଏବଂ ଅନ୍ୟନ୍ୟ ସ୍ଥାନ ବୁଲି ଦେଖିଥିଲେ। ଏହାପରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।
ଏକା ସରକାରୀ ରିପୋର୍ଟ ଅନୁସାରେ ସୁରଟରେ କାମ କରୁଥିବା ଓଡିଆ ଶ୍ରମିକଙ୍କ ମଧ୍ୟରେ ପ୍ରାୟ ୯୦ ପ୍ରତିଶତ ଗଞ୍ଜାମର ବାସିନ୍ଦା। ସେହିପରି ପ୍ରାୟ ୫ଲକ୍ଷ ଲୋକ ସୁରଟର ବୟନ ଶିଳ୍ପ ଉପରେ ନିର୍ଭର କରନ୍ତି। ସେମାନଙ୍କ ପାଇଁ ସରକାର ୬୫୦କୋଟି ଖର୍ଚ୍ଚ କରୁଥିବା ବେଳେ ଜୀବିକା ହରାଇ ଅନେକ ଶ୍ରମିକ ଓଡିଶା ଫେରି ଆସୁଛନ୍ତି।
ଏପଟେ ମୁଖ୍ୟମନ୍ତ୍ରୀଙ୍କୁ ଗୁଜୁରାଟର ପ୍ରବାସୀ ଓଡିଆସମାଜ ଭେଟିଛନ୍ତି । ନବୀନ ନିବାସରେ ଓଡିଶା ବିକାଶ ମଞ୍ଚର ୧୬୦ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ସୁବିଧା ଜଣାଇଛନ୍ତି । ଜିଏସ୍ଟିକୁ ନେଇ ଗୁଜୁରାଟରେ କଳକାରଖାନା ବନ୍ଦ ହୋଇଛି । ଓଡିଆ ଅନେକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ମଂଚ ମୁଖ୍ୟମନ୍ତ୍ରୀଙ୍କୁ ସୁରଟ ଯିବାକୁ ଆମନ୍ତ୍ରଣ କରିଛି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ସୁରଟ ଯିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।