ଆଜି ସଂସଦରେ ଉପସ୍ଥାପିତ ହେବ ଅନ୍ତରୀଣ ବଜେଟ୍; ଉପସ୍ଥାପନ କରିବେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ
1/02/2019 at 8:10 AM

ନୂଆଦିଲ୍ଲୀ ୧|୨: ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଆଜି ଆସିବ କେନ୍ଦ୍ରୀୟ ବଜେଟ୍ । ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ । ଏହା ହେଉଛି ମୋଦି ସରକାରଙ୍କ ଶେଷ ବଜେଟ । ତେଣୁ ଏହି ବଜେଟ୍ ଲୋକାଭିମୁଖୀ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି । ହିନ୍ଦୀ ରାଜ୍ୟରେ ବିଧାନସଭା ନିର୍ବାଚନ ହାରିବା ପରେ କେନ୍ଦ୍ର ଫୋକସ୍ ରେ ରହିପାରେ ଚାଷୀ । ସେହିଭଳି ଆୟକର ସ୍ଲାବ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।
ଆଗକୁ ନିର୍ବାଚନ ଥିବାରୁ ମଧ୍ୟବିତ୍ତ ଭୋଟରଙ୍କୁ ପ୍ରଲୋଭିତ କରିବା ଲାଗି ସରକାର ଆୟକର ସୀମାରେ ବଡଧରଣର ଛାଡ଼ ନେଇ ଘୋଷଣା କରିପାରନ୍ତି। ବର୍ତ୍ତମାନର ଆୟକର ସୀମାକୁ ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦେଇପାରନ୍ତି। ହୋମଲୋନ୍ ସହ ଅନ୍ୟ ଟିକସ୍ କ୍ଷେତ୍ରରେ ମଧ୍ୟ ରିହାତି ନେଇ ଘୋଷଣା ହୋଇପାରେ କେନ୍ଦ୍ର।
ସେହିପରି ମହିଳା ଓ ଯୁବକଙ୍କ ପାଇଁ ମଧ୍ୟ ବଡ଼ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର । ବଜେଟ୍ ଅଧିବେଶନ ଫେବୃୟାରୀ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଚଳିତ ଲୋକସଭାର ଏହି ଶେଷ ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ ସବୁ ଦଳକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଆଜିର ବଜେଟ୍ ଉପରେ ସମସ୍ତଙ୍କ ନଜର ରହିଛି।