ଆଜି ସଂସଦରେ ଉପସ୍ଥାପିତ ହେବ ୨୦୨୦-୨୧ବର୍ଷର ସାଧାରଣ ବଜେଟ୍, କ'ଣ ରହିଛି ଆଶା ?

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ ୧।୨: ଆଜି ସଂସଦରେ ଉପସ୍ଥାପିତ ହେବ ସାଧାରଣ ବଜେଟ୍ । ଦେଶ ଏବେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତିକରୁଥିବା ବେଳେ  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ  ଏହି ବଜେଟ୍  ବଡ ଚ୍ୟାଲେଞ୍ଜ ହୋଇଛି  । ସାଧାରଣ ଜନତା , କରଦାତା , ବ୍ୟବସାୟୀ  , ଚାଷୀମାନଙ୍କ ପାଇଁ କଣ ସବୁ ବଡ ଯୋଜନା ଘୋଷଣା କରିବେ ଅର୍ଥ ମନ୍ତ୍ରୀ । ସେ  ଉପରେ ସମସ୍ତଙ୍କ ନଜର ରିହିଛି  ।   ଦେଶର  ନିମ୍ମଗାମୀ ଅଭିବୃଦ୍ଧି  ହାରକୁ  କେମିତି ଟ୍ରାକକୁ ଅଣାଯାଇପାରିବ  ସେନେଇ  କଣ ସବୁ  କସରତ ଓ  ଯୋଜନା ହୋଇଛି । ଆଜି ବଜେଟ ଉପସ୍ଥାପନ ପରେ  ସ୍ପଷ୍ଟ ହେବ  ।  

ଦିନ ୧୧ଟାରେ ବଜେଟ୍  ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଥିବାବେଳେ ନିର୍ମଳାଙ୍କ ନୂଆ ବଜେଟ୍ ରୁ ସାଧାରଣ ଜନତା ଓ ଶିଳ୍ପ ଜଗତ ଅନେକ କିଛି ଆଶା କରୁଛନ୍ତି। ତେବେ ରାଜସ୍ବ ଆଦାୟ କମିଯାଇଥିବା ବେଳେ ବ୍ୟୟ ବଢ଼ାଇବା ଲାଗି ସରକାର ସଂଘର୍ଷ କରୁଛନ୍ତି। ତେଣୁ ୨୦୨୦-୨୧ ବଜେଟ୍ ରେ ରାଜସ୍ବ ବୃଦ୍ଧି ପାଇଁ କିଛି ବଳିଷ୍ଠ ପଦକ୍ଷେପ ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଉଛି।

ଗତବର୍ଷ କେନ୍ଦ୍ର ସରକାର କଂପାନି ଟିକସକୁ ୩୦%ରୁ ୨୨%କୁ ଖସାଇ ଦେଇଥିଲେ। ତେଣୁ ଏଥର ବଜେଟ୍ ରେ ବ୍ୟକ୍ତିଗତ ଆୟକରକୁ ଆହୁରି କୋହଳ କରାଯିବାର ସମ୍ଭାବନା ରହିଛି। ଏହା ହେଲେ ମଧ୍ୟବିତ୍ତ ବର୍ଗଙ୍କୁ ବଡ଼ ଧରଣର ଆଶ୍ବସ୍ତି ମିଳିବ। କିନ୍ତୁ ରାଜସ୍ବ ଆଦାୟ ସ୍ଥିତି ଯାହା ରହିଛି ତାହାକୁ ଯଦି ବିଚାରକୁ ନିଆଯିବ ତେବେ ଟିକସ ଉପରେ ସରକାର ଅଧିକ କିଛି ରିହାତି ପ୍ରଦାନ କରିବା ଭଳି ସ୍ଥିତିରେ ନାହାନ୍ତି ବୋଲି କୁହାଯାଇପାରିବ। ତଳକୁ ଖସିଚାଲିଥିବା ଅର୍ଥନୀତିକୁ ଆଗକୁ ବଢ଼ାଇବା ଲାଗି ଅର୍ଥମନ୍ତ୍ରୀ କ’ଣ ପଦକ୍ଷେପ ଘୋଷଣା କରିବେ ତାହାକୁ ସମସ୍ତେ ଚାହିରହିଛନ୍ତି।

ବଜେଟ୍  ହିଁ ଷ୍ଟକ୍  ବଜାରର ଆଗାମୀ ମାର୍ଗ ନିର୍ଧାରଣ କରିବ ବୋଲି କୁହାଯାଉଛି। ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମୀଣ ବିକାଶ ଓ ପ୍ରତିରକ୍ଷା ବ୍ୟତୀତ ସାମାଜିକ କ୍ଷେତ୍ର ପାଇଁ ସରକାର କେତେ ବ୍ୟୟବରାଦ କରିବେ ତାହା ବଜେଟ୍  ଘୋଷଣା ହେବା ପରେ ଜଣାପଡ଼ିବ। ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସରକାରଙ୍କ ଦୁଇଟି ପ୍ରମୁଖ ସ୍କିମ୍ ହୋଇଥିବାରୁ ଏହାର ବ୍ୟୟବରାଦକୁ ସରକାର ବଢ଼ାଇପାରନ୍ତି। ମହିଳା ସଶକ୍ତୀକରଣ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ କିଛି ନୂଆ  ଯୋଜନା ଘୋଷଣା କରାଯାଇପାରେ । ମଧ୍ୟବିତ୍ତ ପରିବାର ଲାଗି ନୂଆ ସ୍ବାସ୍ଥ୍ୟ ବୀମା ଯୋଜନା ଘୋଷଣା କରାଯିବାର ସମ୍ଭାବନା ମଧ୍ୟ ରହିଛି ବୋଲି ଆଲୋଚନା ହେଉଛି।

ତେବେ ସାଧାରଣ ବଜେଟ ଉପସ୍ଥାପନ ପୂର୍ବରୁ  ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ପାର୍ଲାମେଣ୍ଟରେ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିକାଶ ହାର ୬ରୁ ୬.୫ ପ୍ରତିଶତ ଭିତରେ ରହିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି ।   ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ  ତ୍ରୈମାସିକରେ ଦେଶର ଜିଡିପିର ଅଭିବୃଦ୍ଧି ହାର ୪.୫% ରହିଥିଲା, ଯାହାକି ୨୦୧୩ ମସିହା ପରେ ସର୍ବନିମ୍ନ ଅଭିବୃଦ୍ଧି ହାର ବୋଲି ଜଣାପଡ଼ିଛି।   ଅନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ପରେ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରି  ହୋହାଲ୍ଲା ଓ ପାଟିତୁଣ୍ଡ କରିଥିଲେ । ଫଳରେ   ବାଚସ୍ପତି ଲୋକସଭାକୁ ଆଜି ଦିନ ୧୧ଟା ଯାଏଁ  ମୁଲତବୀ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.