ଆତ୍ମନିର୍ଭର ଭାରତ ଯୋଜନାର ଶେଷ ପ୍ୟାକେଜ୍ ଘୋଷଣା କଲେ ସୀତାରମଣ : ମନରେଗା ପାଇଁ ୪୦ ହଜାର କୋଟି ଓ ସ୍ବାସ୍ଥ୍ୟ ସେବା ପାଇଁ ୧୫ ହଜାର କୋଟିର ପ୍ୟାକେଜ୍

Published By : Prameya-News7 Bureau | May 17, 2020 IST

ନୂଆଦିଲ୍ଲୀ ୧୭/୦୫ : ଆତ୍ମନିର୍ଭରଶୀଳ ଭାରତର ରୋଡ୍ ମ୍ୟାପ ନେଲା ଚୂଡ଼ାନ୍ତ ରୂପ । ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କା ଆର୍ଥିକ ପ୍ୟାକେଜର ହିସାବ ଶେଷ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।  ଆଜି ପଞ୍ଚମ ତଥା ଚୂଡାନ୍ତ ପ୍ରେସ୍ କନଫରେନସ୍ ରେ ୭ଟି କ୍ଷେତ୍ରକୁ ଫୋକସ କରାଯାଇଛି । ଏଥିରେ ମନରେଗା ପାଇଁ ଅତିରିକ୍ତ ୪୦ ହଜାର କୋଟି, ସ୍ବାସ୍ଥ୍ୟ ସେବା ପାଇଁ ୧୫ ହଜାର କୋଟି ଘୋଷଣା କରାଯାଇଛି । …

ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଯୋଜନାର ଶେଷ ପ୍ୟାକେଜ୍ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୫ ଦିନରେ ମୋଟ୍ ୨୦ ଲକ୍ଷ ୯୭ ହଜାର କୋଟି ଟଙ୍କାର ହିସାବ ଦେଇଛନ୍ତି । ଶେଷ ଘୋଷଣାରେ ସୀତାରମଣ ୭ ଟି କ୍ଷେତ୍ରକୁ ଫୋକସ୍ କରିଛନ୍ତି ।  ଯାହା ମଧ୍ୟରେ ପ୍ରମୁଖ ରହିଛି ମନରେଗା, ସ୍ବାସ୍ଥ୍ୟ , ଶିକ୍ଷା, ନିର୍ମାଣ ଶ୍ରମିକ, ବାଣିଜ୍ୟ । ସ୍ବାସ୍ଥ୍ୟ ସେବା ପାଇଁ ୧୫ ହଜାର କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ନିର୍ମଳା । ପ୍ରତି ଜିଲ୍ଲାରେ ସଂକ୍ରାମକ ରୋଗ ବ୍ଲକ କରାଯିବ । ସବୁ ବ୍ଲକରେ ପବ୍ଲିକ ପାଥୋ ଲାବ୍ ସ୍ଥାପନ ହେବ ।ସେହିପରି ପ୍ରବାସୀ ଶ୍ରମିକଙ୍କୁ ଘର ପାଖରେ କାମ ଯୋଗାଇ ଦେବାକୁ ମନରେଗା ଯୋଜନାର କଳେବର ବୃଦ୍ଧି କରାଯାଇଛି । ମନରେଗାରେ ଅଧିକ ୪୦ ହଜାର କୋଟିର ନିବେଶ ହେବ । ଏହାଦ୍ବାରା ଘରକୁ ଫେରିଥିବା ସବୁ ଶ୍ରମିକଙ୍କୁ କାମ ମିଳିପାରିବ ।

ଦେଶର ୩୦ କୋଟି ଲୋକଙ୍କ ଖାତାରେ ସରକାର ଟଙ୍କା ଜମା କରିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଗରିବ କଲ୍ୟାଣ ଯୋଜନାରେ ଦେଶରେ ମୋଟ୍ ୨୦ କୋଟି ଜନଧନ ଖାତାକୁ ୧୦ ହଜାର ୨୨୫ କୋଟି ଟଙ୍କା ଯାଇଛି । ୮ କୋଟି ୧୯ ଲକ୍ଷ ଚାଷୀଙ୍କ ଖାତାକୁ ୨ ହଜାର ଲେଖାଁଏ ଟଙ୍କା ଯାଇଛି । ଏଥିପାଇଁ ୧୬,୩୯୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଦେଶର ୨ କୋଟି ୨ ଲକ୍ଷ ନିର୍ମାଣ ଶ୍ରମିକଙ୍କ ପାଇଁ ୩ ହଜାର ୯୫୦ କୋଟିର ପ୍ୟାକେଜ୍ ଘୋଷଣା ହୋଇଛି । । ଉଜ୍ଜଳା ଯୋଜନାରେ ଗରିବଙ୍କୁ ୬ କୋଟି ୮୧ ଲକ୍ଷ ମାଗଣା ସିଲିଣ୍ଡର ବଣ୍ଟା ଯାଇଛି। NASP ଲାଭାର୍ଥୀଙ୍କୁ ପ୍ରଥମ ଦଫାରେ ୧,୪୦୫ କୋଟି ଦିଆଯାଇଛି। ଏହି ଲାଭାର୍ଥୀ ଦ୍ବିତୀୟ ଦଫାରେ ୧,୪୦୨ କୋଟି ଦିଆଯାଇଛି। ଖର୍ଚ୍ଚ ହୋଇଛି ୩ ହଜାର କୋଟି ଟଙ୍କା।

ରାଜ୍ୟମାନଙ୍କୁ ୪୬,୦୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମାଧ୍ୟମରେ ୪୧୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି।  ପିଏମ ଇ-ବିଦ୍ୟାର୍ଥୀ କାର୍ଯ୍ୟକ୍ରମରେ ଡିଜିଟାଲ ଅନଲାଇନ କ୍ଲାସ୍ ଉପରେ ଗୁରୁତ୍ବ ଦିଆଯାଇଛି । ସ୍କୁଲ୍‌ ଶିକ୍ଷାକୁ ଆଧାର କରି ଦୀକ୍ଷା ପ୍ଲାଟ୍‌ଫର୍ମର ଯୋଜନା କରାଯିବ। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ୱାନ୍‌ କ୍ଲାସ୍‌ ୱାନ୍‌ ଚ୍ୟାନେଲ୍‌ ବ୍ୟବସ୍ଥା ହେବ। ଦିବ୍ୟାଙ୍ଗ ପିଲାଙ୍କୁ ଅନ୍‌ଲାଇନ୍‌ରେ ପଢ଼ାଇବା ପାଇଁ ବ୍ୟବସ୍ଥା ହେବ। ସର୍ବୋଚ୍ଚ ୧୦୦ଟି ବିଶ୍ବବିଦ୍ୟାଳୟକୁ ଅନ୍‌ଲାଇନ୍‌ କୋର୍ସ ପାଇଁ ମଞ୍ଜୁରୀ ଦିଆଯାଇଛି ।  ପିଲାଙ୍କ ମାନସିକ ସ୍ବାସ୍ଥ୍ୟ ପାଇଁ ମନୋଦର୍ପଣ କାର୍ଯ୍ୟକ୍ରମ ଆରମ୍ଭ ହେବ ।  

କରୋନା ସଂକଟ ବେଳେ ରାଜନୀତି ନକରିବାକୁ ସୀତାରଣ ଅପିଲ କରିଥିବା ବେଳେ ସରକାରଙ୍କ ଆର୍ଥିକ ପ୍ୟାକେଜ ଘୋଷଣାକୁ କଂଗ୍ରେସର ସମାଲୋଚନା ଜାରି ରହିଛି । କରୋନାକୁ ନେଇ ରାଜନୀତି ନ କରିବା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ହାତଯୋଡ଼ି ଅନୁରୋଧ କରିଛନ୍ତି ନିର୍ମଳା ସୀତାରମଣ।

କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ପରେ ଏବେ ଲକଡାଉନରେ ଆଉଟୁ ପାଉଟୁ ହେଉଥିବା ଲୋକମାନଙ୍କ ସମସ୍ୟା ସମାଧାନ ହୋଇଯିବା ନେଇ ଆଶା କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.