ଶେଷରେ ଦିଲ୍ଲୀରେ ସାକାର ହେଲା ଖଗେଶ୍ବରଙ୍କ ସ୍ବପ୍ନ, ନବୀନଙ୍କ ସହ ନେଲେ ସେଲ୍‌ଫି ; ଏଥର ହେବ ବାହାଘର

Published By : Prameya-News7 Bureau | January 09, 2019 IST

ଭୁବନେଶ୍ବର ୯|୧: ଶେଷରେ ନବୀନଙ୍କ ସହ ସେଲଫି ନେଇଛନ୍ତି ଖଗେଶ୍ବର । ନବୀନଙ୍କ ସହ ସେଲଫି ନେବାର ସ୍ବପ୍ନ ତାଙ୍କର ଦିଲ୍ଲୀରେ ପୂରଣ ହୋଇଛି । ଫଳରେ ତାଙ୍କର ବାହାଘର ପାଇଁ ରାସ୍ତା ଫିଟିଛି | ନବୀନଙ୍କ ସହ ସେଲଫି ନନେଲେ ସେ ବାହା ହେବେନାହିଁ ବୋଲି କହିଥିଲେ । ତେବେ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେଡିର କୃଷକ ଅଧିକାର ସମାବେଶରେ ନବୀନ ପଟ୍ଟନାୟକଙ୍କ ସହ ସେଲଫି ନେଇ ତାଙ୍କର ଅଭିଳାଶା ପୂରଣ କରିଛନ୍ତି ଖଗେଶ୍ବର ।

{"id":71964,"align":"center","width":506,"height":675}

ନବୀନଙ୍କ ସହ ସେଲଫି ଟିଏ ପାଇଁ ୩ ମାସ ହେଲା ଚାକିରୀ ଛାଡି ଦେହରେ ବିଜେଡି ପତାକା ଗୁଡେଇ ହୋଇ ଭୁବନେଶ୍ୱର ରାଜରାସ୍ତାରେ ଖଗେଶ୍ୱର ଗାଇ ବୁଲୁଥିଲେ ନବୀନ ଚାଳିଶା | ଯେଉଁଠି ଯେଉଁଠି ନବୀନଙ୍କ କାର୍ଯ୍ୟକ୍ରମ ହେଉଥିଲା ସେଠି ପହଂଚି ଯାଉଛନ୍ତି ଖଗେଶ୍ୱର | ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ହେଉ କି ମେକ ଇନ ଓଡିଶା କନକ୍ଳେଭ ସବୁଠି ଦେଖିବାକୁ ମିଳୁଥିଲା ଖଗେଶ୍ୱରଙ୍କୁ | ଡିସେମ୍ବର ୨୪ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ସମାବେଶକୁ ଯାଇ ମାଡ ଖାଇଥିଲେ ମଧ୍ୟ ଖଗେଶ୍ବର । ତାଙ୍କର  ଏକମାତ୍ର ଲକ୍ଷ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମାତ୍ର ଗୋଟିଏ ସେଲଫି | ସେଥିପାଇଁ ସେ ପ୍ରାୟ ସବୁ ମନ୍ତ୍ରୀ ଓ ବିଧାୟକଙ୍କୁ ଭେଟି ନିଜର ଇଛା ପ୍ରକାଶ କରିସାରିଥିଲେ  | କିନ୍ତୁ ନବୀନଙ୍କ ସହ ସେଲଫି ନେବା ସମ୍ଭବ ହୋଇପାରୁନଥିଲା | ତେବେ ଆଶା କିନ୍ତୁ ମଉଳିନଥିଲା | ଧର୍ଯ୍ୟ ତୁଟିନଥିଲା | ବରଂ ଇଚ୍ଛା ଅଧିକ ତୀବ୍ର ହୋଇଥିଲା | ନବୀନଙ୍କ ଭଲ କାମର ଗୁଣଗାନ କରି ସେ ଲେଖିଥିଲେ ନବୀନ ଚାଳିଶା | ରାସ୍ତା ଘାଟରେ ବୁଲି ଶୁଣାଉଥିଲେ ଲୋକଙ୍କୁ | ଅସମ୍ଭବ ପାଗଳାମୀ ଥିଲା ନବୀନଙ୍କ ପାଇଁ ଖଗେଶ୍ୱରଙ୍କର |

{"id":71965}

ଖଗେଶ୍ୱରଙ୍କ ବୟସ ପାଖାପାଖି ୩୪ ବର୍ଷ | ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଅନ୍ତର୍ଗତ ବରେହିପାଲିରେ ତାଙ୍କ ଗାଁ | ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ସେଲ୍ସ ମ୍ୟାନ ଭାବେ କାମ କରୁଥିଲେ | ବିବାହ ବୟସ ହୋଇଥିବାରୁ ବାପା ଝିଅ ମଧ୍ୟ ଠିକ କରିସାରିଥିଲେ | ତେବେ ଗତ ୧୯ ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକ କରି ଆସିଥିବା କାମ ତାଙ୍କୁ ବେଶ ପ୍ରଭାବିତ କରୁଥିଲା | ନିଜେ କୌଣସି ଯୋଜନାର ସୁଫଳ ନେଇନଥିଲେ ମଧ୍ୟ ପାଖ ପଡୋଶୀ ଲୋକ ବିଭିନ୍ନ ଯୋଜନାରେ ଉପକୃତ ହେଉଥିବା ଦେଖି ପ୍ରଭାବିତ ହୋଇଥିଲେ | କେବଳ ସେତିକି ନୁହେଁ ନବୀନଙ୍କ ବ୍ୟକ୍ତିତ୍ୱ ମଧ୍ୟ ବେଶ ଆକର୍ଷିତ କରିଥିଲା ଖଗେଶ୍ୱରଙ୍କୁ। ଖଗେଶ୍ୱର କହିଥିଲେ ନବୀନଙ୍କ କାମ କରିବା ଓ କାହାକୁ ଅପେକ୍ଷା ନକରିବା ଗୁଣ ତାଙ୍କୁ ସବୁଠୁ ଅଧିକ ଭଲ ଲାଗେ | ଧୀରେ ଧୀରେ ନବୀନଙ୍କର ସେ ଭକ୍ତ ପାଲଟିବାକୁ ଲାଗିଲେ | ନବୀନଙ୍କ ସହ ଗୋଟିଏ ସେଲଫି ନେବାର ଇଛା ତାଙ୍କୁ ଅଥୟ କରିଲା |

{"id":71966}

ଯେଉଁଠି ନବୀନଙ୍କ ସଭା ହେଲା ସେଠାରେ ଯାଇ ପହଁଚୁଥିଲେ ଖଗେଶ୍ୱର | କିନ୍ତୁ କଡା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ପହଞ୍ଚିପାରୁନଥିଲେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ | ଶେଷରେ ୩ ମାସ ତଳେ ସେ ଚାକିରୀ ଛାଡିଦେଲେ | ନବୀନଙ୍କୁ ଆକର୍ଷିତ କରିବା ପାଇଁ ବିଜେଡି ପତାକାକୁ ନିଜ ଦେହରେ ଗୁଡେଇ ବୁଲିବାକୁ ଲାଗିଲେ | ବାପା ବାହାଘର କଥା କହିଲେ ସେ କହୁଥିଲେ- ପ୍ରଥମେ ନବୀନଙ୍କ ସହ ସେଲଫି ନେବା ସ୍ବପ୍ନ ପୂରଣ ହେଉ ତାପରେ ଯାଇ ବାହାଘର ହେବ | ଏହା ପରେ ପରେ ସେ ଘର ମଧ୍ୟ ଛାଡି ଭୁବନେଶ୍ୱର ଆସିଗଲେ | ରାଜଧାନୀର ବିଭିନ୍ନ ରାସ୍ତାରେ ତାଙ୍କୁ ଦେଖିବାକୁ ମିଳୁଥିଲା | କେବଳ ସେତିକି ନୁହେଁ ଗତ ୧୯ ବର୍ଷ ମଧ୍ୟରେ ନବୀନ ଯେଉଁ ଯେଉଁ ସବୁ ଭଲ କାମ କରିଛନ୍ତି ତାକୁ ଗୀତ ଆକାରରେ ଭଣତି କରି ନବୀନ ଚାଳିଶା ବୋଲି ନାଁ ଦେଇଥିଲେ | ଏହି ନବୀନ ଚାଳିଶାକୁ ଆବୃତ୍ତି କରି ଲୋକଙ୍କୁ ଶୁଣାଉଥିଲେ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.