ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ମାମଲା: ୯ ତାରିଖରେ ଆସିବ ସୁପ୍ରିମ କୋର୍ଟଙ୍କ ରାୟ

Published By : Prameya-News7 Bureau | November 08, 2019 IST

ନୂଆଦିଲ୍ଲୀ ୮।୧୧: ଅଯୋଧ୍ୟା ମାମଲାରେ ଆସନ୍ତାକାଲି ଆସିବ କୋର୍ଟଙ୍କ ରାୟ,  ସୁପ୍ରିମକୋର୍ଟ ଶନିବାର ଘୋଷଣା କରିପାରନ୍ତି ରାୟ, ପୂର୍ବାହ୍ନ୧୦ଟା ୩୦ ମିନିଚଟ୍ ରେ କୋର୍ଟଙ୍କ ରାୟ ଆସିବାର ସମ୍ଭାବନା ରହିଛି ।  ସେଥି ଲାଗି ଶୁକ୍ରବାର ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଉତ୍ତରପ୍ରଦେଶରେ ହୋଇଥିବା ସୁରକ୍ଷା ବ୍ୟବସ୍ଥାର ଟିକିନିଖି ଖବର ନେଇଛନ୍ତି। ଅନ୍ୟପକ୍ଷରେ କୋର୍ଟଙ୍କ ରାୟ ଆସିବା ପରିପ୍ରେକ୍ଷୀରେ ଶନିବାର ଉତ୍ତରପ୍ରଦେଶରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରାଯାଇଥିବା ବେଳେ ଅଯୋଧ୍ୟାରେ ୧୪୪ ଧାରା ଜାରୀ ହୋଇଛି।   

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଶୁକ୍ରବାର ଭେଟିଥିଲେ ୟୁପି ମୁଖ୍ୟ ଶାସନ ସଚିବ ଓ ଡିଜିପି । ଏପଟେ ରାୟ ପୂର୍ବରୁ ସବୁ ରାଜ୍ୟଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ । ରାଜ୍ୟରେ ଆଇନ  ଶୃଙ୍ଖଳା ପରିସ୍ଥିତି କାଏମ ରଖିବା ନେଇ ପ୍ରଶାସନ ଓ ପୋଲିସର ବରିଷ୍ଠ ଅଧିକାରୀଙ୍କ ବୈଠକ କରି ଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ଅଯୋଧ୍ୟାକୁ ନେଇ ପୂର୍ବରୁ ଅନେକ ଥର ଦଙ୍ଗା ହୋଇଛି। ତେଣୁ ଏହି ସମ୍ବେଦନଶୀଳ ମାମଲାର ରାୟ ଆସିବା ପୂର୍ବରୁ ସୁରକ୍ଷା ସମ୍ପର୍କରେ ଆଗ ଜାଣିବାକୁ ଚାହିଁଥିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ଏଣୁ ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ଓ ଡିଜିପି ଓମ୍ ପ୍ରକାଶ ସିଂହ, ଦିଲ୍ଲୀ ଆସି ପ୍ରଧାନ ବିଚାରପତିଙ୍କୁ  ଭେଟିଥିଲେ। ଏହି ଅବସରରେ ସୁରକ୍ଷା ବନ୍ଦୋବସ୍ତ ନେଇ ରାଜ୍ୟ ପ୍ରଶାସନ ନେଇଥିବା ପଦକ୍ଷେପ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଇଥିଲେ। ସିଜେଆଇଙ୍କ ଚାମ୍ବରରେ ପ୍ରାୟ ଏକ ଘଣ୍ଟା ଧରି ହୋଇଥିଲା ଏହି ବୈଠକ।

ଅଯୋଧ୍ୟା ଚୂଡାନ୍ତ ରାୟ ପୂର୍ବରୁ ରାଜ୍ୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାପାଇଁ  ବିଭିନ୍ନ ହିନ୍ଦୁ ଓ ମୁସଲିମ ସଂଗଠନ ସହ ରାଜନୈତିକ ଦଳର ନେତାମାନେ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି। ଏପଟେ ଗୃହମନ୍ତ୍ରଣାଳୟ ସବୁ ରାଜ୍ୟକୁ ସଜାଗ ରହିବାକୁ କହିଛନ୍ତି ।  ଅଯୋଧ୍ୟା ପ୍ରସଙ୍ଗରେ କ୍ୟାବିନେଟର କୌଣସି ମନ୍ତ୍ରୀ ଯେମିତି କୌଣସି ବେପରୁଆ ବୟାନ ନଦିଅନ୍ତି ସେନେଇ  ତାଗିଦ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସୁରକ୍ଷା ବନ୍ଦୋବସ୍ତ ନେଇ  ରାଜ୍ୟ ପ୍ରଶାସନ ଓ  ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ କରିଛନ୍ତି  ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଜରୁରୀ  ପରିସ୍ଥିତି ମୁକାବିଲା ପାଇଁ  ଦୁଇଟି ହେଲିକପ୍ଟର ଗୋଟିଏ ଅଯୋଧ୍ୟା ଏବଂ ଆଉ ଗୋଟିଏ ଲକ୍ଷ୍ନୌରେ ଷ୍ଟାଣ୍ଡବାଏ ଭାବେ ରଖାଯାଇଛି। ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କୁ ଗାଁ ଗାଁ ବୁଲି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି ।

 ସୋସିଆଲ ମିଡିଆ ଉପରେ କଡା ନଜର ରଖାଯିବ। ସେହିପରି କିଛି ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ଆଗାମୀ କିଛି ଦିନ ପାଇଁ ରାଜ୍ୟରେ  କୌଣିସ ସେଲିବ୍ରେସନ କିମ୍ବା ପ୍ରତିବାଦ ବିକ୍ଷୋଭ ଉପରେ ରୋକ ଲଗାଯାଇଛି। ଉପଦ୍ରବକାରୀଙ୍କ ବିରୋଧରେ ଏନଏସଏ ଧାରା  ଲଗାଇବାକୁ କୁହାଯାଇଛି।

ରାମଜନ୍ମଭୁମି ବାବ୍ରି ମସଜିଦ ମାମଲାର ୪୦ ଦିନର ମାରାଥନ ଶୁଣାଣି ପରେ ରାୟକୁ ସଂରକ୍ଷିତ ରଖିଥିଲେ ସାମ୍ବିଧାନିକ ଖଣ୍ଡପୀଠ । ନଭେମ୍ବର ୧୫ ସିଜେଆଇ ରଞ୍ଜନ ଗୋଗୋଇଙ୍କ ଶେଷ କାର୍ଯ୍ୟଦିବସ ହୋଇଥିବାରୁ ତା ପୂର୍ବରୁ ଆସନ୍ତା କାଲି ଚୂଡାନ୍ତ ରାୟ ଆସିବାର  ଯଥେଷ୍ଟ ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.