ଲକ୍‌ଡାଉନ୍‌ ପାଇଁ ବୁଡିଛି ବେଉସା, ଚିନ୍ତାରେ କଳାକାର : ସୁଟିଂ ବନ୍ଦ ନକରିବାକୁ ସରକାରଙ୍କୁ ନିବେଦନ

Published By : Prameya-News7 Bureau | July 19, 2020 IST

ଭୁବନେଶ୍ୱର ୧୯।୦୭: ଦୀର୍ଘ ୩ମାସ ବସିବା ପରେ ସୁଟିଂକୁ ବାହାରିଥିଲେ କଳାକାର । ଅନୁମତି ଲୋଡ଼ିଥିଲେ, ନିବେଦନ କରିଥିଲେ । ଏଥିପାଇଁ ସରକାର ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ତଥା ଏସ୍‌ଓପି ଆଣିଲେ । କିନ୍ତୁ ଦୁଃଖର କଥା ଏସ୍‌ଓପି ଆସିବାର ୫ଦିନ ହେଇଛି ପୁଣି ୧୪ଦିନ ଲକ୍‌ଡାଉନ୍‌ । ସବୁକିଛି ବନ୍ଦ କରିଦେଲେ । ଏମିତିରେ ଆମ କଳାକାରମାନଙ୍କ ଭବିଷ୍ୟତ କ’ଣ ହେବ ଜାଣି ହେଉନି ।

ସରକାରଙ୍କୁ ଅନୁରୋଧ କରୁଛୁ ସୁଟିଂ ବନ୍ଦ କରନ୍ତୁ ନାହିଁ । ଯେଉଁ ନିୟମାବଳୀ ଜାରି କରିଛନ୍ତି ସେହି ହିସାବରେ ତାକୁ ମାନି ଆମେ ଚାଲିଛୁ । କିନ୍ତୁ ସରକାର କୌଣସି କଥା ସ୍ପଷ୍ଟ କରୁନଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି । ସେଥିପାଇଁ ଆଗୁଆ ପୁଲିସ୍‌ ଓ ପ୍ରଶାସନଠାରୁ ଅନୁମତି ଲୋଡ଼ିଛୁ । କାରଣ ଦୀର୍ଘ ୩ମାସ କାଳ ସୁଟିଂ ବନ୍ଦ ହେଲା ପରେ ଯାହା କ୍ଷତି ହୋଇଛି, ତା’ର ଭରଣା ହୋଇନି କି ହେଇପାରିବନି । ଏବେ ପୁଣି ବନ୍ଦ ହେଲେ କଳାକାରମାନଙ୍କ ସ୍ଥିତି ଆହୁରି ସଙ୍ଗୀନ ହେଇଯିବ ।

ଓଡ଼ିଶା ଟେଲିଭଜନର ଡିଜିଏମ୍‌ ଶ୍ୟାମା ପ୍ରସାଦ ମିଶ୍ର କହିଛନ୍ତି, ଯେହେତୁ ଏହାକୁ ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରି ବୋଲି କୁହାଯାଉଛି ତେଣୁ ଭାବୁଛୁ ଅସୁବିଧା ହେବନି । ଇଣ୍ଡଷ୍ଟ୍ରି ହିସାବରେ କାମ କରିବାରେ ସମସ୍ୟା ଉପୁଜିବ ନାହିଁ । ସରକାର ସୁଯୋଗ ଦେବେ ବୋଲି ଆଶା । ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି) ଯେଉଁ ଏସ୍‌ଓପି ଆଣିଛନ୍ତି ସେହି ନିୟମ ଆଧାରରେ ସୁଟିଂ ଚାଲିଛି । ଫେସ୍‌ ସିଲ୍ଡ ଏବଂ ଆଇସିୟୁରେ ବ୍ୟବହାର ହେଉଥିବା ପୋଷାକ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ସୁଟିଂ କରୁଛୁ । ରୋଗ କେବେ ଯିବ କହି ହେବନି । ଏହା ଏକ ଲମ୍ବା ଯାତ୍ରା । ତେଣୁ ଆମକୁ ସଚେତନ ହୋଇ କାମ କରିବାକୁ ପଡ଼ିବ ।

ସୁଟିଂ ବନ୍ଦ ହେଲେ ଚ୍ୟାନେଲଗୁଡ଼ିକ କ’ଣ ପ୍ରସାରଣ କରିବେ ସେମାନେ ଚିନ୍ତା କରିବେ ଏବଂ ତା’ର ବିକଳ୍ପ ବାଛିବେ । କାରଣ ଧାରାବାହିକଗୁଡ଼ିକ ଆଗୁଆ ୪-୫ଟି ଅଧ୍ୟାୟ ଅଧିକ ସୁଟିଂ ହୋଇଥାଏ । ସେତକ ସରିଗଲେ ସରିଲା । ପରେ ସେମାନେ ତା’ର ରିପିଟ୍‌ କରିବେ କି ପୁରୁଣା ଧାରାବାହିକ ପ୍ରସାରଣ କରିବେ ତାର ନିଷ୍ପତ୍ତି ସେମାନେ ନେବେ । କିନ୍ତୁ କଳାକାରମାନେ ବଞ୍ଚିବେ କେମିତି? ଆମକୁ ସେ ଦିଗ ପ୍ରତି ଦୃଷ୍ଟି ଦେବାକୁ ହେବ । ବର୍ତ୍ତମାନ ଆମେ ନିୟମ ମାନି ବାହାର ସୁଟିଂ ବନ୍ଦ ରଖିଛୁ । କେବଳ ଇନ୍‌ଡୋର୍‌ ସୁଟିଂ କରୁଛୁ । ତଥାପି ପୁଲିସ୍‌ ଏବଂ ପ୍ରଶାସନର ଅନୁମତି ଲୋଡ଼ିଛୁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ସୁଟିଂ ବନ୍ଦ ହେଲେ କେତେ କ୍ଷତି ହୁଏ ତାହା ଗତ ୩ମାସରେ ଇଣ୍ଡଷ୍ଟ୍ରି ସହି ସାରିଛି । ପ୍ରଯୋଜନା ସଂସ୍ଥାଠୁ ଆରମ୍ଭ କରି ସ୍ପଟ୍‌ ବୟ ପର୍ଯ୍ୟନ୍ତ ସମସ୍ତେ ହଇରାଣ ହୋଇଛନ୍ତି । ସିନେ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟରତ ଅନେକଙ୍କ ଘରେ ସେତିକି ଦିନ ଚୁଲି ଜଳିବା କଷ୍ଟ କର ହୋଇପଡ଼ିଛି । ନିର୍ଦ୍ଦେଶକ ଗୌରୀ ଶଙ୍କର ଦାସ କହିଛନ୍ତି, ଅନୁମତି ଆଣି ପୂରା ନିୟମର ସହ ସୁଟିଂ କରୁଛୁ । ଦିନକୁ ୭ରୁ ୮ଘଣ୍ଟା ସୁଟିଂ କରୁଛୁ । ଅଭିନେତା ତଥା ଓଡ଼ିଶା ସିନେ କଳାକାର ସଂଘର ସମ୍ପାଦକ ଶ୍ରୀତମ୍‌ ଦାସ କହିଛନ୍ତି, ସିନେମାର ସୁଟିଂ ପୂର୍ବରୁ ବନ୍ଦ ଥିଲା ଏବେ ବି ଅଛି । ବାଧ୍ୟବାଧକତାରେ ବି ଆମେ ସୁଟିଂ କାମ ସମ୍ପାଦନ କରିପାରୁନୁ ବୋଲି ଶ୍ରୀ ଦାସ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.