ହକି ମହାସମର : ଆଜି ସପ୍ତମ ଓ ଅଷ୍ଟମ ସ୍ଥାନ ସହ ଦୁଇଟି କ୍ରସ୍ ଓଭର ମ୍ୟାଚ୍
12/06/2019 at 10:11 AM

ଭୁବନେଶ୍ବର ୧୨|୬: କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏଫଆଇଏଚ୍ ହକି ସିରିଜ୍ ଫାଇନାଲସର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହୋଇଛି। ଆଜି ସପ୍ତମ ଓ ଅଷ୍ଟମ ସ୍ଥାନ ସହ ଦୁଇଟି କ୍ରସ ଓଭର ମ୍ୟାଚ୍ ଖେଳାଯିବ। ଉଜବେକିସ୍ତାନ ଓ ମେକ୍ସିକୋ ମଧ୍ୟରେ ସପ୍ତମ ଓ ଅଷ୍ଟମ ସ୍ଥାନ ଲାଗି ସକାଳ ୮ଟା୪୫ରୁ ମ୍ୟାଚ ଆରମ୍ଭ ହୋଇଛି ।
ସେହିପରି ଅପରାହ୍ନ ୫ଟାରେ ପ୍ରଥମ କ୍ରସ୍ ଓଭର ମ୍ୟାଚ୍ ଜାପାନ ଓ ପୋଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ କ୍ରସ୍ ଓଭର ମ୍ୟାଚ ରାତି ୭ଟା୧୫ରୁ ଦକ୍ଷିଣ ଆଫ୍ରିକା ଓ ରୁଷିଆ ମଧ୍ୟରେ ଖେଳାଯିବ। ଜାପାନ ଓ ପୋଲାଣ୍ଡ ମ୍ୟାଚର ବିଜେତା ୧୪ରେ ଭାରତ ସହିତ ପ୍ରଥମ, ଦକ୍ଷିଣ ଆଫ୍ରିକା ଓ ରୁଷିଆ ମ୍ୟାଚର ବିଜେତା ଆମେରିକା ସହିତ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳିବ।
ଅନ୍ୟପଟେ ବିଶ୍ବର ଶ୍ରେଷ୍ଠ ୫ ହକି ଷ୍ଟାଡ଼ିୟମ ମଧ୍ୟରେ ସ୍ଥାନ ପାଇଥିବା କଳିଙ୍ଗ ଷ୍ଟାଡ଼ିୟମ ହକି ଗ୍ରାଉଣ୍ଡରେ ଆଉ ଏକ ଇତିହାସ ଯୋଡ଼ି ହେବାକୁ ଯାଉଛି। ଏପର୍ଯ୍ୟନ୍ତ ଷ୍ଟାଡ଼ିୟମରେ ୯୮ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଥିବାବେଳେ ଆଜି ୧୦୦ ମ୍ୟାଚ୍ ପୂରଣ କରିବ। ୨୦୧୩ରେ କଳିଙ୍ଗ ଷ୍ଟାଡ଼ିୟମରେ ନୂତନ ସିନ୍ଥେଟିକ୍ ହକି ଟର୍ଫ ବିଛାଯିବା ସହିତ ନୂତନ ହକି କମ୍ପ୍ଲେକ୍ସର ମାନ୍ୟତା ପାଇଥିଲା।