ଭୁବନେଶ୍ବରରେ ଗାଡ଼ି ପାର୍କିଂ ନେଇ ହଣାକଟା: ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲେ ଦୁର୍ବୃତ୍ତ

Published By : Prameya-News7 Bureau | March 06, 2020 IST

ଭୁବନେଶ୍ୱର ୬/୩: ରାଜଧାନୀରେ ଘଟିଛି ଅଭାବନୀୟ ଘଟଣା। ଗାଡ଼ି ପାର୍କିଂକୁ ନେଇ ଜଣେ ଯୁବକଙ୍କୁ ମରାଣନ୍ତକ ଆକ୍ରମଣ ହୋଇଛି । ୪ ଜଣ ଯୁବକ ପାର୍କିଂରେ ନିୟୋଜିତ ଥିବା ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ପକାଇଛନ୍ତି । ଗୁରୁତର ଆହତ ଯୁବକ ଚିକୁ ଗୌଡ଼ଙ୍କୁ ପୁଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଏହି ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ସାଲିଆସାହି ଏକାମ୍ରବିହାରର ରାଜା ଓରଫ ରାଜେଶ ନାୟକକୁ ପୁଲିସ ଗିରଫ କରିଛି । ରାଜାର ଅନ୍ୟ ୩ ସହଯୋଗୀ ଫେରାର୍‌ ହୋଇ ଯାଇଛନ୍ତି ।

ପୁଲିସ ସୂଚନା ଅନୁଯାୟୀ, ନୂଆପଲ୍ଲୀ ଆଇଆରସି ଭିଲେଜରେ ଥିବା ମେଗାମାର୍ଟ ସମ୍ମୁଖ ପାର୍କିଂ ସ୍ଥାନରେ ଚିକୁ ନିୟୋଜିତ ଥିଲେ । ଗତକାଲି ସନ୍ଧ୍ୟାରେ ସେଠାରେ ପାର୍କିଂ କରା ଯାଉଥିବା ଗାଡ଼ିକୁ ଉପଯୁକ୍ତ ସ୍ଥାନରେ ରଖିବାକୁ ସେ ଲୋକଙ୍କୁ ବୁଝାଉଥିଲେ । ଏହି ସମୟରେ ରାଜା ଓ ତାଙ୍କର ୩ ସହଯୋଗୀ ୨ଟି ବାଇକ୍‌ରେ ସେଠାରେ ପହଞ୍ଚିଥିଲେ । ସେମାନେ ମେଗାମାର୍ଟ ସମ୍ମୁଖ ରାସ୍ତା ଉପରେ ବାଇକ୍‌ ରଖୁଥିଲେ । ଚିକୁ ସେମାନଙ୍କୁ ବାରଣ କରିବାରୁ ଉତ୍‌କ୍ଷିପ୍ତ ହୋଇ ରାଜେଶ ଓ ତାଙ୍କ ସହଯୋଗୀମାନେ ଏକ ଧାରୁଆ ଅସ୍ତ୍ରରେ ଚିକୁଙ୍କୁ ଆକ୍ରମଣ କରିଥିଲେ । ଫଳରେ ଚିକୁଙ୍କ ମୁଣ୍ଡ ସମେତ କାନ୍ଧରେ ଚୋଟ ବାଜିଥିଲା ।

ଖବରପାଇ ନୂଆପଲ୍ଲୀ ଥାନା ପୁଲିସ ପହଞ୍ଚି ଚିକୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପାର୍କିଂ ଦାୟିତ୍ୱ ନେଇଥିବା ରାଜେଶ କୁମାର ଦାସଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରାଜାଙ୍କୁ ପୁଲିସ ରାତାରାତି ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ରାଜାଙ୍କ ଅନ୍ୟ ୩ ସହଯୋଗୀ ଫେରାର୍‌ ହୋଇ ଯାଇଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.